(ଗୋପ/ ଜୟନ୍ତ ସେଠୀ): ପୁରୀ କରୋନା ହଟସ୍ପଟ ପେଣ୍ଠକଟା ଉପରେ ନଜର ରଖିଛି ଡ୍ରୋନ୍। ପେଣ୍ଠକଟା ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରାରେ ସୁଟିଂ କରାଯାଉଛି। ବିଶେଷ କରି କେଉଁମାନେ ପେଣ୍ଠକଟା ଭିତରେ ପ୍ରବେଶ କରୁଛନ୍ତି କିମ୍ବା ବାହାରୁଛନ୍ତି, ସେମାନଙ୍କ ଉପରେ ଡ୍ରୋନ୍ ନଜର ରଖିଛି। ଏହି ଅଞ୍ଚଳକୁ ଆନ୍ଧ୍ରପ୍ରଦେଶରୁ ଲୋକମାନଙ୍କୁ ନିୟମିତ ବ୍ୟବଧାନରେ ଅଣାଯାଉଥିବା ସୂଚନା ମିଳିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି । ଉକ୍ତ ଅଂଚଳକୁ ଅସନ୍ତା ୩ ତାରିଖ ଯାଏ ଅବରୋଧ ଅଂଚଳ ଭାବେ ରଖାଯାଇଛି। ସବୁ ଦୋକାନ ବଜାର , ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ତେବେ କେତେକ ଅଞ୍ଚଳରେ ଏହା ଉଲଘଂନ ହେଉଥିବା ବେଳେ ଲୋକଙ୍କ ଗହଳି ହେଉଥିବା ଅଭିଯୋଗ ହୋଇଛି। ସାମାଜିକ ଦୂରତ୍ୱ ବଜାୟ ନରହିଲେ, କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଡ୍ରୋନ ମାଧ୍ୟମରେ ନଜର ରଖାଯାଇଛି ପୁରା ପେଣ୍ଠକଟା ଅଂଚଳକୁ । କେଵଳ ସେତିକି ନୁହେ ବଡ଼ଦାଣ୍ଡରେ ମଧ୍ୟ ଡ୍ରୋନ୍ କ୍ୟାମେରା ବୁଲି ଭିଡିଓ ଉତ୍ତୋଳନ କରୁଛି। ଯେଉଁଠି ଗହଳି ହେଉଛି ସଂଗେ ସଂଗେ ପୋଲିସ ପହଂଚି କାର୍ୟ୍ୟନୁଷ୍ଠାନ ନେଉଛି। ଏହି ଡ୍ରୋନ ଦ୍ୱାରା ନିରୀକ୍ଷଣ ସଫଳ ହୋଇଛି। ଅଗାମୀ ଦିନରେ ପୁରୀ ସହରକୁ ଡ୍ରୋନ ମାଧ୍ୟମରେ ନଜର ରଖାଯିବା ନେଇ ପ୍ରଶାସନ ପ୍ରସ୍ତୁତି କରିଛି। ସେପଟେ ପୁରୀ ଜିଲ୍ଲାର ୨୪ ଘଂଟା ଭିତରେ ପୁଣି ୧୧ ଜଣ କୋଭିଡ ପଜେଟିଭ ବାହାରିଛନ୍ତି। ମୋଟ ଜିଲାରେ ପଜେଟିଭ ସଂଖା ୬୯୨ରେ ପହଂଚିଛି। ପୁରୀ ସହରରୁ ୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ପେଣ୍ଠକଟା ଅଞ୍ଚଳରୁ ୪୭ ପଜିଟିଭ୍ ବାହାରିଛି ।