ଆଜି ସ୍ୱତନ୍ତ୍ର ଟ୍ରେନରେ ୨୫ ହଜାର ପ୍ରବାସୀ ଶ୍ରମିକ ଓଡିଶା ଫେରୁଛନ୍ତି

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜି ସ୍ୱତନ୍ତ୍ର ଟ୍ରେନରେ ୨୫ ହଜାର ପ୍ରବାସୀ ଶ୍ରମିକ ଓଡିଶା ଫେରୁଛନ୍ତ । ମହାରାଷ୍ଟ୍ର, ସୁରଟ, ପୁନେ , ତାମିଲ ନାଡୁ, ବେଙ୍ଗାଳୁରୁ, ନୂଆଦିଲ୍ଲୀ, ବିଶାଖାପାଟଣା, ତେଲେଙ୍ଗାନା, ଗୁଜୁରାଟ, ଗୋଆ ଆଦି ସ୍ଥାନ ମାନଙ୍କରୁ ପ୍ରବାସୀଙ୍କୁ ନେଇ ଆସୁଥିବା ଟ୍ରେନ ଗୁଡିକ ଗଂଜାମ, ଭବାନୀପାଟଣା, ଭଦ୍ରକ, ଭୁବନେଶ୍ୱର, ଜଗନ୍ନାଥପୁର, ବାଲେଶ୍ୱର,କଟକ, ଖୋର୍ଦ୍ଧା ରୋଡ,ବଲାଙ୍ଗୀର ଆଦି ସ୍ଥାନ ମାନଙ୍କରେ ଆସି ପହଂଚିବେ । ଭାରତୀୟ ରେଳ ବିଭାଗ ପକ୍ଷରୁ ହିଁ ଏହି ସୂଚନା ଦିଆଯାଇଛି । ପ୍ରଥମ ଥର ପାଇଁ ହିଁ ଏତେ ସଂଖ୍ୟକ ଟ୍ରେନ ଗୋଟିଏ ଦିନରେ ଆସି ପହଂଚିବ । ବର୍ତ୍ତମାନ ପରିସ୍ଥିତିରେ ଦେଶ କରୋନା ମହାମାରୀ ସହ ସଂଘର୍ଷ କରୁଛି । ଜାରି ହୋଇଥିବା ଲକ ଡାଉନ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଅନେକ ପ୍ରବାସୀ ଫସି ରହିଛନ୍ତି । ଏହାକୁ ଲକ୍ଷରେ ରଖି ସାହାଯ୍ୟର ହାତ ବଢ଼ାଇଛି ଭାରତୀୟ ରେଳ ବିଭାଗ । ଫସି ରହିଥିବା ପ୍ରବାସୀ ମାନଙ୍କୁ ସେମାନଙ୍କ ସ୍ଥାନରେ ପହଂଚାଇବା ପାଇଁ ସ୍ପେଶାଲ ଟ୍ରେନ ସୁବିଧା ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଗଂଜାମ ଜିଲ୍ଲାରେ ଲଗାତାର କରୋନା ସଂଖ୍ୟା ବୃଦ୍ଧି ପାଉଥିବାରୁ ଟ୍ରେନ ଚଳାଚଳକୁ କିଛି ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା । ସ୍ଥିତି କିଛିଟା ବଦଳିବା ପରେ ଶୁକ୍ରବାର ପାଖାପାଖି ୧୬୦୦ ପ୍ରବାସୀ ଓଡ଼ିଆକୁ ନେଇ ୩ଟି ଟ୍ରେନ ବାହାରିଥିବା ବେଳେ ଆଜି ଗୋଟାଏ ଟ୍ରେନ ବ୍ରହ୍ମପୁର ଷ୍ଟେସନରେ ପହଂଚିଛି । ପ୍ରଶାସନ ପକ୍ଷରୁ ସେମାନଙ୍କ ନାମ ପଞ୍ଜିକରଣ ଓ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି ।