ଆଉ ଭାରତ ଉପରେ କଟକଣା ଲଗାଇବ ନାହିଁ ଆମେରିକା !

America will not impose restrictions on India!

ଓ୍ବାସିଂଟନ : ଆମେରିକା ଓ ପାଶ୍ଚାତ୍ୟ ଦେଶଙ୍କ ମତାନ୍ତର ଭିତରେ ରୁଷରୁ ଭାରତ ତେଲ କିଣିବା ଜାରି ରଖିଛନ୍ତି । ଗତ ଅକ୍ଟାବରରେ ରୁଷ ଭାରତର ନଂ ୧ ତୈଳ ରପ୍ତାନିକାରୀରେ ପରିଣତ ହୋଇଛି । ଏହା ସତ୍ତ୍ବେ ଭାରତ ବିରୋଧରେ କୌଣସି କଟକଣା ଲଗାଯିବ ନାହିଁ ବୋଲି ଆମେରିକା କହିଛି । ଆମେରିକା ପରରାଷ୍ଟ୍ର ବିଭାଗର ଜଣେ ଅଧିକାରୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ପାକିସ୍ତାନୀ ଖବରକାଗଜ ଡନ୍ କହିଛି ଯେ ଯେଉଁ ଯେଉଁ ଦେଶ ରୁଷରୁ ତେଲ କିଣୁଛନ୍ତି ସେମାନଙ୍କ ଉପରେ କଟକଣା ଲଗାଇବାକୁ ଆମେରିକା ଚିନ୍ତା କରୁନାହିଁ ।

ରୁଷରୁ ତେଲ କିଣିବା ନ କିଣିବା ସଂପର୍କିତ ନିଷ୍ପତ୍ତି ସଂପୃକ୍ତ ଦେଶମାନଙ୍କ ଉପରେ ଛାଡ଼ିଦିଆଯାଇଛି । ସେମାନେ ନିଜର ପରିସ୍ଥିତି ଦେଖି ନିଷ୍ପତ୍ତି ନେଇପାରିବେ । ଆମେରିକା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ବିଶ୍ବ ତୈଳ ବଜାର ଉପରେ ପୁଟିନଙ୍କ ଯୁଦ୍ଧର ପ୍ରଭାବକୁ କମ କରିବାକୁ ଭାରତ, ୟୁରୋପୀୟ ସଂଘ ଓ ଅନ୍ୟ ଦେଶମାନଙ୍କ ସହ ମିଶି ଆମେରିକା କାମ କରିବ । ଅନ୍ତର୍ଜାତୀୟ ତୈଳ ବଜାର ଉପରେ ନଜର ରଖୁଥିବା ସଂସ୍ଥା ଭର୍ଟେକ୍ସା ପକ୍ଷରୁ କୁହାଯାଇଛି ଯେ ଅକ୍ଟୋବର ମାସରେ ଭାରତ ୯୩୫,୫୫୬ ବ୍ୟାରେଲ ତେଲ ରୁଷରୁ କିଣିଛି । ଭାରତର ମୋଟ ତୈଳ ଆମଦାନୀର ୨୨ ପ୍ରତିଶତ ଏବେ ରୁଷରୁ ଆସୁଛି, ଯାହାକି ପୂର୍ବରୁ ୨ ପ୍ରତିଶତରୁ ବି କମ ଥିଲା ।