(ରଜନୀକାନ୍ତ ପାତ୍ର/ହିଞ୍ଜୀଳି): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ବେଧଡକ ବାଲି ଚାଲାଣ ଅଭିଯୋଗ ହେଉଥିଲେ ବି ମାଫିଆମାନଙ୍କୁ ଗିରଫ କରା ନଯାଇ ଗ୍ରାମବାସୀଙ୍କୁ ପୋଲିସ ଅଟକ ରଖିବାରୁ ଘଟିଛି ତୁମୁଳକାଣ୍ଡ । ଗାଁ ଲୋକେ ଅଟକମାନଙ୍କୁ ଛାଡିବା ଦାବିରେ ହିଞ୍ଜୀଳି ଥାନା ଘେରାଉ କରିବାରୁ ପୋଲିସକୁ କରିବାକୁ ପଡିଥିଲା ଲାଠିଚାର୍ଜ । କୋଳିଦାସପୁର ଗାଁରେ ଏହି ଘଟଣାର ସୂତପାତ ହୋଇଥିଲା । ଏଠାରେ ବାଲି ଚାଲାଣକୁ ନେଇ ମାଫିଆ ଓ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଆସୁଥିଲା । ଯାହା ଗତ ଶୁକ୍ରବାର ରାତିରେ ଉଗ୍ରରୂପ ନେଇଥିଲା । ଶୁକ୍ରବାର ମଧ୍ୟରାତ୍ରୀରେ କୋଳିଦାସପୁର ଗାଁରେ ବାଲିର ଚୋରା ଚାଲାଣ ଚାଲିଥିବା ବେଳେ ଗାଁ ଲୋକେ ବାଲି ବୋଝେଇ ଟ୍ରିପର, ଟ୍ରାକ୍ଟର ଓ ମାଫିଆଙ୍କ ମୋଟର ସାଇକେଲ ପୋଡିବା ସହ ଜେସିବି ମେସିନ ଭଙ୍ଗାରୁଜା କରିଥିଲେ । ଗାଡି ପୋଡି ଘଟଣାରେ ଏକ ମାମଲା ରୁଜୁ ହେବା ପରେ ହିଞ୍ଜିଳୀ ପୋଲିସ ଗାଁରେ ପହଞ୍ଚି ୫ ଜଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା । ତେବେ ପୋଲିସ ବାଲି ଚୋରଙ୍କୁ ନଧରି ଗ୍ରାମବାସୀଙ୍କୁ ଅଟକ ରଖିବା ନେଇ ପ୍ରାୟ ୨୦୦ରୁ ଉଦ୍ଧ୍ୱର୍ ଗ୍ରାମବାସୀ ହିଞ୍ଜିଳି ଥାନା ଘେରାଉ କରିଥିଲେ । ଏହାସହ ଅଟକ ବ୍ୟକ୍ତି ମାନଙ୍କୁ ଛାଡିବାକୁ ଜିଦ ଧରି ବସିଥିଲେ । ଏହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିଲା । ପରେ ଗ୍ରାମବାସୀଙ୍କୁ ଘଉଡାଇବା ପାଇଁ ଆସ୍କା ଓ ହିଞ୍ଜିଳି ପୋଲିସ ସମେତ ଫୋର୍ସ ମୁତୟନ କରାଯାଇ ଲାଠି ଚାଳନା କରାଯାଇଥିଲା । ତେବେ ଗାଁ ନଦୀ ପଠାରୁ ବାଲି ଉଠାଇବା ଫଳରେ ସ୍ଥାନୀୟ ଚାଷ ଜମି ନଷ୍ଟ ହେଉଛି । ଏପରିକି ବର୍ଷାଦିନେ ଗାଁକୁ ବନ୍ୟାପାଣି ମାଡି ଆସୁଥିବାରୁ କିଛି ଦିନ ତଳେ ବାଲିଚାଲାଣକୁ ବନ୍ଦ କରାଯାଇଥିଲା । ଏ ସମ୍ପର୍କରେ ପ୍ରଶାସନକୁ ମଧ୍ୟ ଜଣାଯାଇଥିଲା । ଏବେ ପୁଣି ନଦୀ ପଠାରୁ ବାଲି ଚାଲାଣ ହେବାରୁ ଏଭଳି ଘଟଣା ଘଟିଥିବା ଗାଁ ଲୋକେ କହିଛନ୍ତି । ଏହାସହ ପୋଲିସ ଆଗାମୀ ଦିନରେ ବାଲି ମାଫୀଆଙ୍କୁ ଗିରଫ ନ କଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି । ତେବେ ଉକ୍ତ ଘଟଣାରେ ଅଟକ ଥିବା ୫ ଜଣଙ୍କୁ ୩୫ ନମ୍ବର ଜୋନ ଜିଲ୍ଲାପରିଷଦଙ୍କ ଜିମାରେ ପୋଲିସ ଛାଡିଥିବା ଜଣାପଡିଛି ।