କରୋନା ଭୟରେ ଶବକୁ ମିଳିଲାନି କାନ୍ଧ

(ଜୟନ୍ତ କୁମାର ସେଠୀ/କୋଣାର୍କ): କରୋନା ସନ୍ଦେହ କରି ଜଣେ ଯୁବକଙ୍କ ମୃତଦେହକୁ କେହି କାନ୍ଧ ନ ଦେବାରୁ ପରିବାର ଲୋକେ ଶେଷରେ ପିପିଇ କିଟ୍ ପିନ୍ଧି ମୃତ ଦେହକୁ ଟ୍ରଲିେରେ ବୋହିିଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ମାଙ୍କରଗୋରଡି ଗାଁରେ ଦେଖିବବାକୁ ମିଳିଛି । ଏହି ଗାଁର ସନାତନ ରାଉତଙ୍କ ପୁଅ ସାଧୁଆ କିଛି ଦିନ ଧରି ଜ୍ୱରରେ ପୀଡିତ ଥିଲେ । ପରିବାର ଲୋକେ ତାଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କର ଟାଇଫଏଡ ଓ କୋଭିଡ ଟେଷ୍ଟ କରିବା ପାଇଁ ପୁରୀ ଡାକ୍ତରଖାନା ଯିବାକୁ କହିଥିଲେ । ତେବେ ପୁରୀ ମେଡିକାଲ ଓପିଡି ବନ୍ଦ ଥିବାରୁ ସେ ଚିକିତ୍ସା ପାଇଁ ଭୂବନେଶ୍ୱର ବାହାରିଥିବା ବେଳେ ତାଙ୍କର ମୃତ୍ୟ ହୋଇଥିଲା । ଯୁବକଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଜଣାପଡି ନଥିବାରୁ କରୋନା ଭୟରେ ତାଙ୍କ ଶବ ଉଠାଇବା ପାଇଁ ଗାଁ ଲୋକେ କେହି ଆସିନଥିଲେ । କୋଣାର୍କ ଏନଏସି କର୍ତ୍ତୃପକ୍ଷ ପିପିଇ କିଟ୍ ଯୋଗାଇବା ପରେ ମୃତ ଯୁବକଙ୍କ ପରିବାର ଲୋକେ ଏକ ଟ୍ରଲିରେ ମୃତଦେହକୁ ବୋହି ମଶାଣି ନେବା ପରେ ଶବ ସତ୍କାର କରଥିଲେ ।