ଦ୍ରୌପଦୀମୁର୍ମୁଙ୍କ ପରେ ଯଶୱନ୍ତ ସିହ୍ନାଙ୍କୁ Z+ ସୁରକ୍ଷା

ଗୋଟିଏ ପଟେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଥିବା ବେଳେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଜେଡ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଛି।

(ଦିଲ୍ଲୀ) : ଗୋଟିଏ ପଟେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଥିବା ବେଳେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଜେଡ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଛି। କେନ୍ଦ୍ର ସରକାର ଶୁକ୍ରବାର ଶ୍ରୀ ସିହ୍ନାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ୨୭ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀ ସିହ୍ନା ନାମାଙ୍କନ ଦାଖଲ କରିବେ। ଏହାପରେ ସେ ବିଭିନ୍ନ ରାଜ୍ୟକୁ ଯାଇ ତାଙ୍କୁ ସମର୍ଥନ କରିବା ପାଇଁ ସବୁ ରାଜନୀତିକ ଦଳର ନେତାମାନଙ୍କୁ ଅନୁରୋଧ କରିବେ। ଏହି ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ସିଆରପିଏଫ ବୁଝିବ।

ଏହାପୂର୍ବରୁ କେନ୍ଦ୍ର ସରକାର ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ Z+ ସୁରକ୍ଷା ଯୋଗାଇ ଦେଇଥିଲେ। ସେ ଓଡ଼ିଶାରୁ ଦିଲ୍ଲୀ ଯିବା ବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ସିଆରପିଏଫ ତଦାରଖ କରିଥିଲା। ଦିଲ୍ଲୀରେ ପହଞ୍ଚିବା ଠାରୁ ଏଯାଏ ସିଆରପିଏଫ ଯବାନମାନେ ତାଙ୍କ ସହ ରହିଛନ୍ତି। ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ୨୧ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ।

୮୪ ବର୍ଷୀୟ ସିହ୍ନାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଆରପିଏଫର ଭିଆଇପି ସୁରକ୍ଷା ଶାଖାକୁ ନିର୍ଦ୍ଦେଶ ଦିଆଯାଇଛି। ଜେଡ ସ୍ତରୀୟ ସୁରକ୍ଷା ମିଳିଥିବାରୁ ଶ୍ରୀ ସିହ୍ନାଙ୍କ ଚାରିପାଖରେ ସିଆରପିଏଫର କମାଣ୍ଡୋମାନେ ୨୪ ଘଣ୍ଟା ମୁତୟନ ହେବେ। ୮ରୁ ୧୦ ଜଣ ସଶସ୍ତ୍ର କମାଣ୍ଡୋ ଶ୍ରୀ ସିହ୍ନା ଦେଶ ଭିତରେ ଯୁଆଡ଼େ ବି ଯିବେ, ତାଙ୍କୁ ସୁରକ୍ଷା ଯୋଗାଇ ଦେବେ।