ଅସୁରକ୍ଷିତ ରାଜ୍ୟରେ ମହିଳା ବିକାଶର ବାର୍ତ୍ତା ମୂଲ୍ୟହୀନ

ଭୁବନେଶ୍ୱର/ ଶିଳାସ୍ମିତା ରାୟ: ବିଜୁ ଜନତା ଦଳ (ବିଜେଡି)ର ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉଦଭାଷଣରେ ମହିଳାଙ୍କୁ ଗୁରୁତ୍ୱ ଦେଇଥିବା ଦେଖିବାକୁ ମିଳିଛି । ମହିଳାଙ୍କୁ ସେମାନଙ୍କ ନାର୍ଯ୍ୟ ଅଧିକାର ମିଳିବା ଦରକାର, ମା ଓ ଭଉଣୀଙ୍କ ପ୍ରଗତିରେ ରାଜ୍ୟର ପ୍ରଗତି ନିଶ୍ଚିତ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିବା ଦେଖିବାକୁ ମିଳିଛି । ତେବେ ଖାଲି କାଲିର ଭାଷଣ ନୁହେଁ ମୁଖ୍ୟମନ୍ତ୍ରୀ ସର୍ବଦା ମହିଳା ଭୋଟରଙ୍କୁ ଦୃଷ୍ଟିରେ ରଖି ତାଙ୍କ ଭାଷଣ ଦେଇଥାନ୍ତି । କିନ୍ତୁ ବାସ୍ତବରେ କଣ ମୁଖ୍ୟମନ୍ତ୍ରୀ ମହିଳାଙ୍କ ବିକାଶ, ସେମାନଙ୍କ ସାଂଗଠନିକ ଦକ୍ଷତା ବୃଦ୍ଧି ଚାହୁଁଛନ୍ତି? ବାସ୍ତବରେ କଣ ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳାଙ୍କ ପାଇଁ ଚିନ୍ତାକରୁଛନ୍ତି?

  

ମୁଖ୍ୟମନ୍ତ୍ରୀ ସର୍ବଦା ମାକୁ ସମ୍ମାନର ନାରା ଦେଇ ଆସୁଛନ୍ତି । ମହିଳାଙ୍କ ବିକାଶର କାହାଣୀ କହୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ହୁଏତ ଜଣା ନାହିଁ ମହିଳାଙ୍କ ବିକାଶ ସେମାନଙ୍କ ସ୍ୱାଧୀନତା ଉପରେ ନିର୍ଭରଶୀଳ । ମହିଳା ସ୍ୱାଧୀନ, ନିର୍ଭୟ ହେଲେ ହିଁ ତାର ବିକାଶ ସମ୍ଭବ । ମହିଳାଙ୍କୁ ନେଇ ଜାତୀୟ ପିତା ମହାତ୍ମା ଗାନ୍ଧୀ କହିଥିଲେ, ଜଣେ ପୁରୁଷ ଶିକ୍ଷାଲାଭ କଲେ ସେ ଶିକ୍ଷିତ ହେବ କିନ୍ତୁ ଜଣେ ମହିଳା ଶିକ୍ଷାଲାଭ କଲେ ପୁରା ପରିବାର ଶିକ୍ଷାଲାଭ କରିବ ବା ଶିକ୍ଷିତ ହେବ । ସେହିପରି ଗାନ୍ଧୀ କହିଥିଲେ, ଯେବେ ଜଣେ ମହିଳା ଏକାକୀ ନିର୍ଭୟରେ ରାଜରାସ୍ତାରେ ରାତ୍ରିକାଳରେ ବୁଲିପାରିବ ସେତେବେଳେ ଆମେ କହିବା ଦେଶ ସ୍ୱାଧୀନ ହେଲା । କିନ୍ତୁ ଆଜି ମଧ୍ୟ ଆମ ରାଜ୍ୟରେ ଦିନରେ ମହିଳାଟିଏ ରାଜରାସ୍ତାରେ ଚାଲିବାକୁ ଜଣେ ପୁରୁଷର ସାହାରା ନେଉଛି, ରାତିରେ ଜଣେ ମହିଳା ଏକାକୀ ଚାଲିବା ଆଜି ମଧ୍ୟ ସ୍ୱପ୍ନ । ଆମ ରାଜ୍ୟର କୋଣ ଅନୁକୋଣରେ ମହିଳା ଅସୁରକ୍ଷିତ । ଏପରି ସ୍ଥିତିରେ ମହିଳା ବିକାଶ ମୂଲ୍ୟହୀନ ପରି ମନେ ହେଉଛି ।

ରାଜ୍ୟରେ ଚଳିତ ବର୍ଷ ପ୍ରଥମ ୬ ମାସରେ ୬୦୪ ନାବାଳିକ ଦୁଷ୍କର୍ମ ସହ ମୋଟ ୧୧୪୯ଟି ଦୁଷ୍କର୍ମ ମାମଲା ପଞ୍ଜିକରଣ ହୋଇଛି । ରାଜ୍ୟରେ ଚଳିତ ବର୍ଷରେ ଅପହରଣର ମାମଲା ୨୦୦୦ ନିକଟବର୍ତ୍ତୀ ରହିଛି । ରାଜ୍ୟରେ ନାବାଳିକା ଓ ଶିଶୁ କନ୍ୟା ଅପହରଣ ମାମଲା ମଧ୍ୟ ଗତ କିଛି ବର୍ଷ ଧରି ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ୨୦ ବର୍ଷର ଶାସନ କାଳ ମଧ୍ୟରେ ମହିଳାଙ୍କ ପ୍ରତି ଦୁଷ୍କର୍ମ, ଅପହରଣ ପରି ଘଟଣା ବୃଦ୍ଧିପାଉଥିବା ଦେଖିବାକୁ ମିଳୁଛି । ଏହା ବ୍ୟତୀତ ପାରିବକ ହିଂସା ଘଟଣାକୁ ଦେଖିଲେ ମୁଖ୍ୟତଃ ଗରିବୀ, ମଦ ମୁଖ୍ୟ କାରଣ ହୋଇଛି । କିନ୍ତୁ ଏହି ଦୁଇ ମୁଖ୍ୟ ସମସ୍ୟାର ସମାଧାନ କରିବା ପରିବେର୍ତ୍ତ ରାଜ୍ୟ ସରକାର ଉଭୟକୁ ପ୍ରୋତ୍ସାହନ ଦେଉଛନ୍ତି ।

 

ଆର୍ଥିକ ଅନଟନ ପାଇଁ ଅନେକ ପରିବାରରେ ମହିଳାଙ୍କ ପ୍ରତି ହିଂସା ଦେଖିବାକୁ ମିଳିଥାଏ । ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ପରିବର୍ତ୍ତେ ରାଜ୍ୟର ଦାରିଦ୍ର୍ୟକୁ ବୃଦ୍ଧି କରିଛନ୍ତି । ରାଜ୍ୟରେ ରୋଜଗାର, ନିଯୁକ୍ତି ନାହିଁ । ସରକାର ରୋଜଗାର ଦେବା ବଦଳରେ ଯୁବକଙ୍କୁ ବେରୋଜଗାର କରିଚାଲିଛନ୍ତି । ଯେଉଁ କେତେଜଣ ସମ୍ବେଦନଶୀଳ ଯୁବକ ରହୁଛନ୍ତି, ସେମାନେ ଦାଦନକୁ ଆପଣେଇ ନେଉଛନ୍ତି । ଅନ୍ୟ ପଟେ ସହରଠୁ ଗାଁ ସବୁଆଡେ ମଦର ଆସଲ ମେଲେଇ ଦେଇଛନ୍ତି ସରକାର । ରାଜ୍ୟ ସରକାର ରାଜସ୍ୱକୁ ପ୍ରାଧାନ୍ୟ ଦେଇ ମଦର ପ୍ରସାର କରୁଥିବା ବେଳେ କିନ୍ତୁ ଏହି ନାଲିପାଣି ମହିଳାଙ୍କୁ ରକ୍ତ କନ୍ଦାଉଛି । ଗୋଟିଏ ପଟେ ଅଭାବ, ଅନ୍ୟ ପଟେ ସ୍ୱାମୀ ଓ ଭେଣ୍ଡିଆ ପୁଅର ମଦ ନିଶା । ତେଣୁ ମହିଳାମାନେ ମଦ୍ୟପ ସ୍ୱାମୀର ଅତ୍ୟାଚରରେ ଅତିଷ୍ଠ ହୋଇ ପଡିଲେଣି । ପରିବାର ବର୍ଗଙ୍କ ଭୋକିଲା ମୁହଁ ତା ଉପରେ ସ୍ୱାମୀ ଓ ପୁଅଙ୍କ ନିଶାସକ୍ତ ଅବସ୍ଥା ଓ ମାଡ ଗାଳି ସେମାନଙ୍କୁ ଶାରୀରିକ, ମାନସିକସ୍ତରରେ ଦୁର୍ବଳ କରୁଛି । ଏଥିନେଇ ଅନେକ ମହିଳା ମଧ୍ୟ ଆତ୍ମହତ୍ୟାକୁ ଆପଣେଇ ନେବାକୁ ବାଧ୍ୟ ହେଉଛନ୍ତି । ଅନେକ ଏତେ ନିର୍ଯାତନା ସହି ନ ପାରି ମାନସିକ ଭାରସାମ୍ୟ ହରେଇ ବସୁଛନ୍ତି ।

ଏହି ନିଶା ପାଇଁ ଆର୍ଥିକ ଅନଟନ କାରଣରୁ ଅନେକ ଶିଶୁଙ୍କ ପାଠପଢାରେ ଅଧାରୁ ଡୋରି ବନ୍ଧା ହେଉଛି । ପିଲାମାନେ ପରିବାରର ଅର୍ଥାଭାବ ଦୂର କରିବାକୁ ପାଠ ଛାଡି ଜରି ଗୋଟେଇବାଠୁ ଆରମ୍ଭ କରି ପର ଘରେ ପାଇଟି କରିବା, ହୋଟେଲରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ଏହି କାମ କରିବା ବେଳେ ଅନେକ ଶାରୀରିକ ନିର୍ଯାତନା ପାଉଛନ୍ତି ତ ଅନେକ ମାଲିକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଉଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଅଭାବୀ ପିଲା ମଧ୍ୟ କୁସଂଗତରେ ପଡି ରାତାରାତି ବଡ ଲୋକ ହେବା ଲୋଭରେ ଅପରାଧ ବାଟକୁ ଆପଣେଇ ନେଉଛନ୍ତି । ଏସବୁ ପରେ ରାଜ୍ୟ ମୁଖିଆ ମହିଳା ସଶକ୍ତିକରଣ ଓ ବିକାଶର କଥା କହିବା ଖାଲି ଧୂଅାଁ ବାଣ ଭିନ୍ନ ଆଉ କିଛି ମନେ ହେଉ ନାହିଁ । କୌଣସି ଚାପଗ୍ରସ୍ତ, ଭୟାତୁର ମହିଳାର ବିକାଶ କେବେ ସମ୍ଭବ ନୁହେଁ ଏହା ମୁଖ୍ୟମନ୍ତ୍ରୀଙ୍କୁ ହୁଏତ ଜଣାନାହିଁ । ତେଣୁ ଭୋଟ ବ୍ୟାଙ୍କକୁ ଛାଡି ମୁଖ୍ୟମନ୍ତ୍ରୀ ପ୍ରଥମେ ରାଜ୍ୟକୁ ମହିଳାଙ୍କ ବାସ ଉପଯୋଗୀ ସୁରକ୍ଷିତ ଆଶ୍ରୟସ୍ଥଳୀ କରନ୍ତୁ, ଯେଉଁଠି ମହିଳା ରାତ୍ରୀର ଅନ୍ଧାରରେ ମଧ୍ୟ ନିର୍ଭୟରେ ଚଳପ୍ରଚଳ କରି ପାରିବ, ଶିକ୍ଷାଗ୍ରହଣ କରି ନିଜ ଗୋଡରେ ଠିଆ ହୋଇ ପାରିବ ।