ବର୍ତମାନ ୨୦ ସପ୍ତାହ ବଦଳରେ ୨୪ ସପ୍ତାହରେ କରିପାରିବେ ଗର୍ଭପାତ

(ରିିପୋର୍ଟସ ଟୁଡ଼େ / ନୂଆଦିଲ୍ଲୀ) : ଗର୍ଭପାତ ପାଇଁ ବଦଳିଲା ନିୟମ । ପୂର୍ବରୁ ଜଣେ ମହିଳା ଗର୍ଭଧାରଣର୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଅନୁମତି ରହିଥିଲା । ବର୍ତମାନ ଏହାର ଅବଧିକୁ ବୃଦ୍ଧି କରାଯାଇ ୨୪ ସପ୍ତାହ ମଧ୍ୟରେ ଜଣେ ମହିଳା ଗର୍ଭପାତ କରିପାରିବେ ବୋଲି କ୍ୟାବିନଟ ମଞ୍ଜୁରୀ ମିଳିଛି । ଏହି ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ପ୍ରସ୍ତାବ ଉପରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ପ୍ରସ୍ତାବକୁ ଗର୍ଭପାତ ଅଧିନିୟମ ୧୯୭୧ ଅନୁସାରେ ସଂଶୋଧନ କରାଯିବ । ଏହା ଉପରେ ସଂସଦର ଆଗାମୀ ଅଧିବେଶନରେ ବିଧେୟକ ଅଣାଯିବ ।
୨୦ ସପ୍ତାହରେ ଗର୍ଭପାତ କରିବା ଦ୍ୱାରା ମାଁ ଜୀବନ ପ୍ରତି ବିପଦ ଆସୁଥିବାକୁ ଦୃଷ୍ଟିରେ ରଖି ୨୪ ସପ୍ତାହ ଯାଏଁ ଏହି ସମୟ ଦିଆଯାଇଛି । ଏହା ଫଳରେ ଦୁଷ୍କର୍ମ ପୀଡ଼ିତା ଓ ନାବାଳିକା ଓ ଭିନ୍ନକ୍ଷମଙ୍କୁ ଅବାଂଚ୍ଛିତ ଗର୍ଭଧାରଣରୁ ମୁକ୍ତିଦେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର ସୂଚନା ଦେଇଛନ୍ତି ।