ଭୁବନେଶ୍ୱର: ପରିଚୟ ପତ୍ର ଟୀକାକରଣ ପାଇଁ ବାଧ୍ୟତାମୂଳକ ନୁହେଁ । ବିନା ପରିଚୟପତ୍ରରେ ଯେମିତି ସମସ୍ତେ ଟୀକା ନେଇ ପାରିବେ ସେଥିପାଇଁ ପଦକ୍ଷେପ ନେଇଛି ରାଜ୍ୟସରକାର । ପରିଚୟପତ୍ର ନଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରି ଟୀକାକରଣରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର । ଏନେଇ ସେ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ଦେଇଛନ୍ତି ଚିଠି ।
ବର୍ତ୍ତମାନ ଟୀକା ନେବା ପାଇଁ ପଞ୍ଜିକରଣ କରିବାକୁ ୭ଟି ପରିଚୟ ପତ୍ରକୁ ଗ୍ରହଣ କରାଯାଇଛି । ତେବେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ନିକଟରେ ଏହି ପରିଚୟପତ୍ର ନାହିଁ । ହେଲେ ସେମାନେ ସଂକ୍ରମିତ ହେବା ସହ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ତେଣୁ ପରିଚୟପତ୍ର ନ ଥିବା ବିଭିନ୍ନ ଧର୍ମର ସାଧୁ, ସନ୍ଥ, ଯାଯାବର ଜୀବନ ବିତାଉଥିବା ନିରାଶ୍ରୟ, ଭିକାରୀ, ମାନସିକ ଚିକିତ୍ସା ଅନୁଷ୍ଠାନ ଏବଂ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଏହି ବର୍ଗରେ ତାଲିକାଭୁକ୍ତ କରାଯାଇଛି। ଏମାନଙ୍କୁ ଚିହ୍ନଟ କରି ତୁରନ୍ତ ଟୀକା ଦେବାକୁ କୁହାଯାଇଛି ।