(ତାରା କାନ୍ତ ନାୟକ / ସାଲେପୁର) ; ବିପଦ ବେଳେ ଛିଡାହେବା ହିଁ ‘ ପ୍ରକୃତ ମାନବିକତାର ନିଦର୍ଶନ । ସେ ସାଧାରଣ ଜନତା ହୁଅନ୍ତୁ କିମ୍ବା ସେମାନଙ୍କର ଜନ ପ୍ରତିନିଧି । ପରସ୍ପରକୁ ସାହାଯ୍ୟ ସହଯୋଗ ଏବଂ ଭଲପାଇବା ବାଣ୍ଟିବାରେ ମଣିଷକୁ ମିଳେ ଖୁସି । ଆମେ କହୁଛୁ ମାହାଙ୍ଗାର ଜନପ୍ରିୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ କଥା । ତାଙ୍କ ନିର୍ବାଚନ ମଣ୍ଡଳୀରେ କେହି ରୋଗ ବୈରାଗ୍ୟରେ ପଡ଼ୁ କିମ୍ବା କରୋନା ଭଳି ବିପତ୍ତି ସମୟରେ କାହାକୁ କିପରି ସହଯୋଗକରାଯିବ, ସେ ସବୁର ଟିକିନିଖି ଖବର ଉପରେ ମନ୍ତ୍ରୀଙ୍କ ନଜର ରହିବା କାହାକୁ ଅଛପା ନାହିଁ । ଏବେ କିନ୍ତୁ ଖୋଦ ମନ୍ତ୍ରୀ ଶ୍ରୀ ଜେନା କୋଭିଡ-୧୯ରେ ପୀଡ଼ିତ । ନିଜେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏହି ଜନପ୍ରିୟ ନେତାଙ୍କ ପାଇଁ ତାଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦେବାଳୟ, ମଠ, ମନ୍ଦିର, ମସଜିଦ ଗୁଡିକରେ ପ୍ରାର୍ଥନା ଓ ଦୀପଦାନ ଦେଖିବାକୁ ମିଳୁଛି । ଗୋକନ ଭଞ୍ଜ ମଣ୍ଡପ ନିକଟ ମାଆ ଦେବୀ ଦୁର୍ଗାଙ୍କ ପୀଠରେ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ସହ ବହୁ ଗ୍ରାମବାସୀ ଦୀପଜାଳି ମନ୍ତ୍ରୀଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିବା ବେଳେ, ହଳଦିଆ ପଞ୍ଚାୟତ ଝାଡ଼େଶ୍ୱର ମହାଦେବଙ୍କ ପୀଠରେ ଜ୍ଞାନରଞ୍ଜନ ରାଉତ ଓ ହେମନ୍ତ ପ୍ରଧାନଙ୍କ ନେତୃତ୍ୱରେ ଚାଲିଥିଲା ଦୀପଦାନ । ସେହିପରି ଗୁଣୁପୁର ମାଆ ବରୁଣାଇଙ୍କ ପୀଠରେ ମୂଳବସନ୍ତ ପଞ୍ଚାୟତବାସୀ ଦୀପଦାନ କରିଥିବା ବେଳେ, କୁହୁଣ୍ଡା ପଞ୍ଚାୟତର ମା’ସାହାଡ଼ା ସୁନ୍ଦରୀଙ୍କ ପୀଠ ଏବଂ ମା’ସୁନୁପେଇଙ୍କ ପୀଠରେ ମନ୍ତ୍ରୀଙ୍କ ପରିବାର ପାଇଁ ବିଭିନ୍ନ ବର୍ଗର ଲୋକେ ପ୍ରାର୍ଥନା କରିଥିଲେ ।