ବ୍ୟୁରୋ : ମଦ ଗଞ୍ଜେଇ ନିଶା ଠାରୁ ବି ଅଧିକ ଘାରୁଛି ମୋବାଇଲ ନିଶା । ଅଭିଭାବକ ଏଣିକି ସତର୍କ ରହିବା ଜରୁରୀ । ପ୍ଲେ’ ଷ୍ଟୋରରେ ପଡିଛି ଗଦା ଗଦା ଆପ୍ କିଛି ଭଲ ଏବଂ ଉପଯୋଗୀ ଆପ୍ ହୋଇଥିବାବେଳେ କୁପଥ ପ୍ରତି ଆଗ୍ରହୀ ହେବା ପାଇଁ ଅନେକ ଆପ୍ ପିଲାଙ୍କୁ ଭ୍ରମିତ କରେଇଥାନ୍ତି । ବିଭିନ୍ନ ପ୍ରକାରର ଗେମିଂ ଆପ୍ ହେଉ ଅବା ଏଣ୍ଟରଟେନମେଣ୍ଟ ଆପ୍ । ଯାହା ବି ହେଇ ଥାଉ ନା କାହିଁକି ଅଭିଭାବକ ମୋବାଇଲ ଉପରେ ବାରମ୍ବାର ନଜର ଦେବା ଆବଶ୍ୟକତା ରହିଛି । ଆକ୍ରୋଶମୂଳକ ଭାବେ କିମ୍ବା ଉତ୍ତ୍ୟକ୍ତ ହୋଇ ନୁହେଁ ବରଂ ସେମାନଙ୍କ ସହ ବନ୍ଧୁତାପୂର୍ଣ୍ଣ ଭାବେ ସମ୍ପର୍କ ରଖି ସବୁ କିଛି ବୁଝିବା ଦରକାର ।
କରୋନା ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ବାଧା ନ ଉପୁଜିବା ପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥା ହୋଇଥିଲା । କିନ୍ତୁ ତାହା ଏବେ ଅଭିଭାବକ ମାନଙ୍କ ପାଇଁ ଏକ ବିରାଟ ସମସ୍ୟା ହୋଇ ଛିଡା ହୋଇଛି । ଶିକ୍ଷା ବ୍ୟବସ୍ଥାର ମାନ ହାନି ହେବାକୁ ନ ଦେଇ ମୋବାଇଲ ଫୋନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । କିନ୍ତୁ କରୋନା ଶେଷ ହେବା ପରେ ଅନଲାଇନ ପାଠପଢା ସିନା ସରିଲା ହେଲେ ପିଲା ମାନଙ୍କୁ ଘାରିଳା ମୋବାଇଲ ନିଶା । ଯୁଦ୍ଧକାଳୀନ ଭିତ୍ତିରେ ପିଲାମାନଙ୍କୁ ଦିଆଯାଇଥିଲା ସ୍ମାର୍ଟଫୋନ୍ । ହେଲେ ପରବର୍ତ୍ତୀ କାଳରେ ତାହା ଯେପରି ସର୍ବନାଶରେ ଏକ ମାଧ୍ୟମ ସାଜିଛି । ପାଠପଢା ନାଁରେ ପିଲା ତିଆରି କଲେ ଫାଶ ଆଉ ଅଭିଭାବକଙ୍କୁ ବୋକା ଭାବି ନିଜେ ଛନ୍ଦି ହୋଇଗଲେ ମୋବାଇଲ ଫାନ୍ଦରେ ।
ପାଠ କଥା ବହିରେ ରହିଲା । ରିଲ୍ସ କରି କିଏ ସୁପରଷ୍ଟାର ହେବାର ଇଛା ତ ଆଉ କିଏ ଗେମ୍ ରେ ପ୍ରୋ ହେବା ପାଇଁ ପରସ୍ପର ଭିତରେ କମ୍ପିଟିସନ୍ । ମୋବାଇଲ୍ ର କଳା ଅନ୍ଧାରରେ ସବୁ ଦିନ ପାଇଁ କଏଦ ହୋଇଗଲା ପିଲାଙ୍କର କୋମଳ ମନ । ଏବେ ଚିନ୍ତାରେ ପଡି ଅଭିଭାବକ ଛଡାଇ ଆଣିବାକୁ ଚାହିଁଲେ ପିଲାଙ୍କ ରାଗ, ଜିଦ୍ ଆଉ ଅଭିମାନ ସାମ୍ନାରେ ମୁଣ୍ଡ ନୁଆଁଇବାକୁ ସେମାନେ ଏକ ପ୍ରକାର ବାଧ୍ୟ ହୋଇଛନ୍ତି ।
ତେବେ ଥରେ ଏହି କଥା ଗୁଡିକୁ ଭାବି ଦେଖନ୍ତୁ ;
ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡ଼ିଆ ବ୍ୟାନ୍ କରିବାକୁ ଏକ ବିଲ୍ ପାସ୍ କରାଯାଇଥିଲା ନିୟମ ନ ମାନିଲେ ୩୨.୫ ମିଲିୟନ୍ ଡଲାର୍ ଭାରତୀୟ ମୁଦ୍ରା ହିସାବରେ ୨୭୦ କୋଟି ଟଙ୍କାର ଜରିମାନା ଲାଗିବାର ମଧ୍ୟ ପ୍ରସ୍ତାବ ଉଠିଥିଲା । ଅଷ୍ଟ୍ରେଲିଆର ଏହି ପଦକ୍ଷେପ ସେତେବେଳେ ସୋସିଆଲ୍ ମିଡିଆର ଡିଜିଟାଲ୍ ମାର୍କେଟରେ କ୍ରାନ୍ତି ସୃଷ୍ଟି କରିଥିଲା । କେହି କେହି ଏହାକୁ ସମର୍ଥନ କରିଥିଲେ ଆଉ କେହି ତର୍କ ବାଢିଥିଲେ । କିନ୍ତୁ ଏହି ସବୁ ଆପର ଆତଙ୍କକୁ ବୁଝିପାରିଥିଲା ଅଷ୍ଟ୍ରେଲିଆ । ଏଭଳି କ୍ରାନ୍ତି ଭାରତରେ ମଧ୍ୟ ଆସିଥିଲା ଯେତେବେଳେ ଟିକଟକ୍ , ପବଜି ଭଳି କିଛି ଆପକୁ ବ୍ୟାନ ର ଚାପୁଡ଼ା ମାରିଥିଲେ ସରକାର । କିନ୍ତୁ ପ୍ରତିଟି ଅସଲିର ହଜାରେ ନକଲି ବାହାରିଲା ପରି ଅନେକ ଆପ୍ ର ଜନ୍ମ ହୋଇଗଲା । ଆପ୍ ର ନାଁ ସିନା ଅଲଗା ହେଲା କିନ୍ତୁ କାମ ଯଥା ପୂର୍ବମ୍ ତଥା ପରମ୍ । ଅନ୍ତରଙ୍ଗ ଶବ୍ଦଟି ଏହି ସବୁ ଆପରେ ଅଜସ୍ର ତାଳି ସାଉଁଟିଲା ।
ବର୍ତ୍ତମାନ ଡାର୍କ କମେଡିର ଡିଣ୍ଡିମ ପିଟି କିଏ ନର୍ଦ୍ଧମା ପାଣିର ବାନ୍ତି କଲାଣି ତ ଆଉ କିଏ ଏଜଡଗ (ଏରଗ୍ଧ ଜରବୟଚ୍ଚ ଡସଗ୍ଧଷ ଗର) ଟ୍ରେଣ୍ଡର ସାହାରାରେ ଉଲଗ୍ନତାକୁ ଉତ୍ସବ ଭଳି ପାଳିଲେଣି । କିନ୍ତୁ ଏଥିରେ ବଳି ପଡୁଛି କାହାର ଭବିଷ୍ୟତ, ଆପଣଙ୍କ ପାଠପଢୁଆ ସନ୍ତାନର ।
ଏହି ସୋସିଆଲ ମିଡିଆରୁ ହିଁ ଉତ୍ପତ୍ତି ନେଉଛି ଅନେକ ସାମାଜିକ ସମସ୍ୟା । ଅଭିଭାବକ ମାନେ ତାହା ଦେଖି ଚୁପ୍ ରହିବା କିମ୍ବ ଅଣଦେଖା କରିବା ଉଚିତ୍ ନୁହେଁ । ହୁଏତ ଆପଣଙ୍କ ପିଲା ମଧ୍ୟ ଟ୍ରେଣ୍ଟ୍ ଟ୍ରାପ୍ରେ ପଡିପାରପାରନ୍ତି । ମାଦକ ଠାରୁ ବେଶୀ ନିଶା ହେଉଥିବା ମୋବାଇଲ ଠାରୁ ଯଥାସମ୍ଭବ ପିଳା ମାନଙ୍କୁ ଦୂରେଇ ରଖନ୍ତୁ ।