ଓଲଟିଲା ବରଯାତ୍ରୀ ଗାଡି, ୧୫ ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବନ୍ଦାଣିଆ ଗାଁ ନିକଟରେ ପିକ ଗାଡି ଓଲଟିବାରୁ ୧୫ରୁ ଉର୍ଦ୍ଧ୍ଵ ବର ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯାତ୍ରୀ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରୁ ଏକ ବରଯାତ୍ରୀ ପିକ ଅପ ଗାଡି ଢେଙ୍କାନାଳ, କଙ୍କଡ଼ାହାଡ଼ ଥାନା ବାଲିକୁମା ପଞ୍ଚାୟତ ଅନ୍ତର୍ଗତ କଳସପୁର ଗାଁକୁ ଯାଉଥିବା ବେଳେ ଘଟିଛି ଅଘଟଣ । ପିକ ଅପ ଗାଡିର ପଛ ଚକା ଫାଟି ଯିବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ତେବେ ଗୁରୁତର ଆହତଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ଗାଡ଼ିରେ ମୋଟ ୨୨ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ କଙ୍କଡ଼ାହାଡ଼ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।