ଭିଜିଲାନ୍ସ ଜାଲରେ ୱେସ୍କୋ ଆକାଉଣ୍ଟାଣ୍ଟ, ଟଙ୍କା ଓ ସୁନା ବିସ୍କୁଟ ଜବତ

(ବଲାଙ୍ଗୀର): ବଲାଙ୍ଗୀର ୱେସ୍କୋ ସୁପରିଟେଣ୍ଡେଣ୍ଟ ଅଫିସର ଆକାଉଣ୍ଟାଣ୍ଟ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆକାଉଣ୍ଟାଣ୍ଟଙ୍କ ବିଭୁତି ଶଙ୍କର ବିନ୍ଧାଣିଙ୍କ ଘରେ ବୁଧବାର ସକାଳେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି । ଏକକାଳୀନ ୨ଟି ଜାଗାରେ ଭିଜିଲାନ୍ସ ଟିମ ଚଢାଉ କରିଛି । ବଲାଙ୍ଗୀର ସର୍କିଟ ହାଉସ ନିକଟରେ ଥିବା ତାଙ୍କ ଘର ଓ ୱେସ୍କୋ ଅଫିସରେ ଚଢାଉ ହୋଇଛି । ଚଢାଉ ବେଳେ ତାଙ୍କ ଘରୁ ନଗଦ ୧୭ ଲକ୍ଷ ଟଙ୍କା ସହ ସୁନା ବିସ୍କୁଟ ଭିଜିଲାନ୍ସ ଟିମ ଜବତ କରିଛି । ସେହିପରି କିଛି ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି । ଛାନଭିନ ଜାରି ରହିଥିବା ବେଳେ ଜବତ ହୋଇଥିବା ଟଙ୍କାରୁ ୧୪ ଲକ୍ଷ ତାଙ୍କ ଶାଳିର ବୋଲି ବିନ୍ଧାଣି ସଫେଇ ଦେଇଛନ୍ତି । ତେବେ ବିନ୍ଧାଣୀଙ୍କ ଘରୁ ବିପୁଳ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହେବ ବୋଲି ଭିଜିଲାନ୍ସ ଅନୁମାନ କରିଛି ।