୪ ରାଜ୍ୟରେ ଆରମ୍ଭ ହୋଇଛି ଟୀକାକରଣ ମକଡ୍ରିଲ

ନୂଆଦିଲ୍ଲୀ: ସୋମବାରଠାରୁ ଦେଶରେ କରୋନା ଟୀକାକରଣର ମକ୍‌ଡ୍ରିଲ ଆରମ୍ଭ ହେଉଛି । ପ୍ରାରମ୍ଭିକ ଅବସ୍ଥାରେ ୪ଟି ରାଜ୍ୟରେ ଟୀକାକରଣ ପାଇଁ ମକଡ୍ରିିଲ ଆରମ୍ଭ ହେଉଛି । ଏଥିରେ ପଞ୍ଜାବ, ଆସାମ, ଗୁଜୁରାଟ ଓ ଆନ୍ଧ୍ର ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏସବୁ ରାଜ୍ୟର ୨ଟି ଲେଖାଏ ଜିଲାରେ ଟିକାକରଣ ପାଇଁ ହୋଇଥିବା ପ୍ରସ୍ତୁତିର ମକ୍‌ଡ୍ରିଲ୍‌ ହେବ। ଏହି ସମୟରେ କାହାକୁ ଟିକା ଦିଆଯିବ ନାହିଁ। ଟିକାକରଣ ମକ୍‌ଡ୍ରିଲ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ କୋଭିନ୍‌ ଆପ୍‌ ଏବଂ ୱେବ୍‌ସାଇଟରେ ଲଗ୍‌-ଇନ୍‌ କରାଯାଇ ସୂଚନା ଦିଆଯିବ। ଡିସେମ୍ବର ୨୯ ପର୍ୟ୍ୟନ୍ତ ୨ ଦିନ ପାଇଁ ଏହି ମକ୍‌ଡ୍ରିଲ୍‌ ଚାଲିବ। ଏଥିରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କିପରି ଟୀକାକରଣ କରାଯିବ ତାହା ଜାଣିବା ଲାଗି ପ୍ରୟାସ ହେବ।

ଏସବୁ ରାଜ୍ୟରେ ଟିକାକରଣ ପାଇଁ ପ୍ରସ୍ତୁତି ପ୍ରାୟ ସମ୍ପନ୍ନ ହୋଇଛି। ତେବେ କିପରି ପ୍ରସ୍ତୁତି ହୋଇଛି ତାହାର ଅନୁଧ୍ୟାନ କରାଯାଇ ସମସ୍ତ ଦିଗକୁ ଯାଞ୍ଚ କରାଯିବ। ଏହି ସମୟରେ କୋଲ୍‌ଡ ଚେନ୍‌ଠାରୁ ଆରମ୍ଭ କରି ଲୋକଙ୍କ ପଞ୍ଜୀକରଣ ଏବଂ ଟୀକା ବୁଥରେ ଡୋଜ ଦେବା ବ୍ୟତୀତ ଚିକିତ୍ସା ତଦାରଖ ବ୍ୟବସ୍ଥା କିପରି କରାଯିବ, ସେ ନେଇ ଜିଲା ଟିମ୍‌ ପକ୍ଷରୁ ଅଭ୍ୟାସ କରାଯିବ।