ସରକାରୀ ବାସଭବନ ଛାଡିଲେ ଉଦ୍ଧବ ଠାକରେ

ମହାରାଷ୍ଟ୍ରରେ ରାଜନୀତିକ ମାମଲା ବୃଦ୍ଧି ପାଇବାରେ ଲାଗିଛି ।

(ମହାରାଷ୍ଟ୍ର) : ମହାରାଷ୍ଟ୍ରରେ ରାଜନୀତିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗତକାଲି ତାଙ୍କ ସରକାରୀ ବାସଭବନ ଛାଡ଼ିଛନ୍ତି । ଦଳର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ତାଙ୍କ ପଛରେ ରହିଥିବା ବିଧାୟକଙ୍କ ଉଦ୍ଦେଶ୍ୟରେ ଫେସ୍‌ବୁକ୍‌ରେ ଏକ ଭାବବିହୋଳ ବାର୍ତ୍ତା ଦେବା ପରେ ସେ ସରକାରୀ ବାସଭବନ ଛାଡ଼ିଥିଲେ।

 

 ସେ ଜିନିଷପତ୍ର ନେଇ ତାଙ୍କ ନିଜ ବାସଭବନ ‘ମାତୋଶ୍ରୀ’କୁ ଚାଲିଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ‘ମାତୋଶ୍ରୀ’ରେ ପହଞ୍ଚିଲା ବେଳକୁ ସେଠାରେ ତାଙ୍କ ସମର୍ଥକଙ୍କ ଭିଡ଼ ଲାଗିଥିଲା। ସେ କାରରୁ ଓହ୍ଲାଇ ସେମାନଙ୍କୁ ଭେଟି ଥିଲେ। ଉଦ୍ଧବ ଠାକରେ ସରକାରୀ ବାସଭବନ ଛାଡ଼ି ସାରିଥିବାରୁ ସେ ଯେକୌଣସି ସମୟରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦେଇପାରନ୍ତି ବୋଲି କୁହାଯାଉଛି।

 

ଗତକାଲି ଫେସ୍‌ବୁକ୍‌ ଲାଇଭ୍‌ରେ ସେ କହିଥିଲେ, ଯଦି ମୋ ନିଜ ଲୋକମାନେ ମୋତେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ନାହିଁ, ତା’ହେଲେ ସେମାନେ ମୋତେ ଆସି କହିଥାଇ ପାରିଥା’ନ୍ତେ। ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ମୁଁ ବାଲାସାହେବଙ୍କ ପୁଅ। ମୁଁ କୌଣସି ପଦପଦବୀ ପାଇଁ ଲାଳାୟିତ ନୁହେଁ। ଯଦି ଆପଣମାନେ ଚାହୁଁଛନ୍ତି ଯେ ମୁଁ ଇସ୍ତଫା ଦିଏ, ତା’ହେଲେ ତାହା ହିଁ ହେଉ ଏବଂ ମୁଁ ମୋର ସମସ୍ତ ଜିନିଷ ଧରି ‘ମାତୋଶ୍ରୀ’କୁ ଚାଲିଯିବି।

 

ଏହି ବାର୍ତ୍ତା ମଧ୍ୟରେ ସେ ବିଦ୍ରୋହୀ ବିଧାୟକମାନଙ୍କୁ ଗୋଟିଏ ପ୍ରଶ୍ନ ମଧ୍ୟ କରିଥିଲେ। ସେ କହିଥିଲେ, ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ରାଜି। କିନ୍ତୁ ଆପଣମାନେ କ’ଣ ମୋତେ ପ୍ରତିଶ୍ରୁତି ଦେଇପାରିବେ ଯେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶିବସେନାରୁ କେହି ଜଣେ ହେବେ?