ଆଜି ପବିତ୍ର ରଥଯାତ୍ରା : ଶ୍ରୀକ୍ଷେତ୍ର ମୁହାଁ ଅସଂଖ୍ୟା ଭକ୍ତ

ଆଜି ପବିତ୍ର ଘୋଷଯାତ୍ରା

(ପୁରୀ) : ଆଜି ପବିତ୍ର ଘୋଷଯାତ୍ରା । ସିଂହଦ୍ୱାର ଆଗରେ ଶ୍ରୀବିଗ୍ରହଙ୍କ ଅପେକ୍ଷାରେ ରହିଛନ୍ତି ତିନି ରଥ, ପଥ ଓ ଭକ୍ତ। ୨ ବର୍ଷ ପରେ ବଡ଼ଦାଣ୍ଡରେ ପୁଣି ହେବ ଭଗବାନ ଓ ଭକ୍ତଙ୍କ ମିଳନ। ଏଥର କରୋନା କଟକଣା ହଟିଥିବାରୁ ପୁରୀ ମୁହାଁ ହୋଇଛନ୍ତି ଅସଂଖ୍ୟା ଭକ୍ତ । ଭୋର ୩ଟାରେ ମଙ୍ଗଳ ଆଳତି ଓ ସାଢେ ୩ଟାରେ ମଇଲମ ନୀତି ଶେଷ ହୋଇଛି। ଏହା ସହିତ ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ଶେଷ ହୋଇଯାଇଛି। ସକାଳ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ପ୍ରାୟ ସାଢ଼େ ୬ଟାରୁ ଆରମ୍ଭ ହୋଇଯାଇଛି ପହଣ୍ଡି।

ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଛି। ଗୋଟି ପହଣ୍ଡିରେ ଆସି ଶ୍ରୀ ସୁଦର୍ଶନ ରଥାରୂଢ଼ ହୋଇଛନ୍ତି। ତାଙ୍କ ପରେ ପରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ସେ ବି ରଥାରୂଢ଼ ହୋଇସାରିଛନ୍ତି। ଦେବୀ ସୁଭଦ୍ରଙ୍କ ପହଣ୍ଡି ଶେଷ ହୋଇସାରିଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଚାଲିଛି। ପହଣ୍ଡି ବିଜେ ପରେ ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସଂପନ୍ନ ହେବାକୁ ଥିବା ବେଳେ ଠିକ୍ ୪ଟାରେ ରଥ ଟଣାଯିବ। ତେବେ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ଏସବୁ କାର୍ଯ୍ୟ ମଧ୍ୟ ଆଗୁଆ ସଂପନ୍ନ ହେବ ବୋଲି ଆଶା କରାଯାଉଛି। ଭୋରରୁ ବଡ଼ଦାଣ୍ଡରେ ଭକ୍ତଙ୍କ ସମାଗମ ହେଲାଣି। ନାଚ, ଗୀତ ଓ କୀର୍ତ୍ତନରେ ବଡ଼ଦାଣ୍ଡ କମ୍ପୁଛି। ଲକ୍ଷାଧତ୍କ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।