ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳିଗଲା ୩ ବଖରା ଘର…

କଥାରେ ଅଛି ଘରପୋଡି ଠାରୁ ବିପତ୍ତି ନାହିଁ କି ଘୋଡ଼ାଚଢା ଠାରୁ ସମ୍ପତି ନାହିଁ। ବହୁ କଷ୍ଟରେ କରିଥିବା ନିଜର ଚାଳଛପର ଘର ପୋଡ଼ିଗଲେ କେମିତି ଲାଗେ ତାହା କେବଳ ଅଙ୍ଗେ ନିଭେଇଥିବା ଲୋକହିଁ ଜାଣେ। ସୁକିନ୍ଦା ବ୍ଲକ ସଂସାଇଲୋ ପଂଚାୟତ ଶ୍ରୀରାମପୁର ଗ୍ରାମର ଜଗା ଦେଓଗ୍ରାମଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ଜଗାଙ୍କ ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା। ସ୍ଥାନୀୟ ଲୋକ ମାନେ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ନିଆଁ ଏତେ ଜୋରରେ ଜଳୁଥିଲା ଯେ ପାଖକୁ ଯିବାକୁ କେହି ସାହସ କରିପାରୁନଥିଲେ।ଖବର ପାଇ ସୁକିନ୍ଦା ଦମକଳ କେନ୍ଦ୍ରର କର୍ମଚାରୀମାନେ ରଜନୀ କାନ୍ତ ସାମଲଙ୍କ ନେତୃତ୍ୱ ରେ ପହଂଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ନିଆଁରେ ଜଗାଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ପିନ୍ଧିବା ଲୁଗାଠୁ ଆରମ୍ଭ କରି ପିଲାମାନଙ୍କ ପ୍ୟାଣ୍ଟସାର୍ଟ କିଛି ବି ବାଦ ପଡିନି। ଏବେ ଶୀତ ଆରମ୍ଭ ହୋଇଗଲାଣି। ସରକାରୀ ସହାୟତା ପାଇଁ ଜଗା ଏବଂ ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନକୁ ନିବେଦନ କରିଛନ୍ତି।