ତିନି ଦିନ ପରେ ମିଳିଲା ନିଖୋଜ ଛାତ୍ରଙ୍କ ଶବ

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ବୀପ) – ଭୋସକାଲିସ ପଏଣ୍ଟ ନିକଟ ସମୁଦ୍ରରେ ଛାତ୍ର ନିଖୋଜ ଘଟଣାର ୩ ଦିନ ପରେ ମିଳିଲା ଛାତ୍ର ସିଦ୍ଧାନ୍ତଙ୍କ ମୃତଦେହ। ସମୁଦ୍ର କୂଳରେ ଖେଳୁଥିବା ବେଳେ ସମୁଦ୍ରରେ କରେଣ୍ଟ ଯୋଗୁଁ ଭାସିଯାଇଥିଲେ ୧୪ ବର୍ଷର ଛାତ୍ର ସିଦ୍ଧାନ୍ତ ପ୍ରଧାନ। ସାଉଥ ଗେଟ ନିକଟସ୍ଥ ସମୁଦ୍ର କୂଳରୁ ମିଳିଛି ମୃତଦେହ । ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଅଭାୟଚାନ୍ଦ ପୁର ପୋଲିସ ଓ ଜଟାଧାରୀ ସାମୁଦ୍ରିକ ଥାନାର ଅଧିକାରୀ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ସୂଚନା ଯୋଗ୍ୟ ଗତ ୨୬ ତାରିଖରେ ତ୍ରିଲୋଚନପୁରର ଅଶୋକ ପ୍ରଧାନଙ୍କ ପରିବାର ନିକଟସ୍ଥ ଭୋସକାଲିସ ପଏଣ୍ଟ ସମୁଦ୍ର କୂଳକୁ ବୁଲିବାକୁ ଆସିଥିଲେ । ପରିବାର ସାଥିରେ ଛାତ୍ର ସିଦ୍ଧାନ୍ତ ସମୁଦ୍ରରେ ଖେଳୁଥିବା ସମୟରେ ଉଚ୍ଚ ଲହଡି ଯୋଗୁ ଛାତ୍ର ଜଣକ ସମୁଦ୍ର ଭିତରକୁ ଚାଲିଯାଇଥିଲେ । ଅଗ୍ନିଶମ ବିଭାଗର ଏକ ଟିମ , ପାରାଦ୍ୱୀପ କୋଷ୍ଟଗାର୍ଡର ଏକ ଟିମ ଓ ଦୁଇଟି ଥାନାର ଅଧିକାରୀ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇ ଘଟଣା ଉପରେ ତୀକ୍ଷଣ ନଜର ରଖିଥିଲେ ।