ଭୁବନେଶ୍ୱର: ଭୁବନେଶ୍ୱରରେ ବାଇକ ସହ ଜୀଅନ୍ତା ଜଳିଗଲେ ଯୁବକ । ଗତକାଲି ବିଳମ୍ବିତ ରାତିରେ 16 ନମ୍ବର ଜାତୀୟ ରାଜପଥ ଆଚାର୍ଯ୍ୟବିହାର ଫ୍ଲାଏଓଭର ବ୍ରିଜ ଉପରେ ଦୁଇ ଦୁଇଟି ଅଘଟଣ ଘଟିଛି l ରାଜପଥ ଉପରେ ଅତି ରହସ୍ୟଜନକ ଭାବେ ଜଣେ ଯୁବକ ଓ ତାଙ୍କ ବାଇକ ଜଳି ଯାଇଥିବା ବେଳେ ଏହାର ଅଧଘଣ୍ଟା ପରେ ଠିକ ସେହି ସ୍ଥାନରେ ରାସ୍ତା ଅପରପାର୍ଶ୍ଵରେ ଆଉ ଏକ ଦୁର୍ଘଟଣା ଘଟିଛି l ଏକ ହ୍ୱାଇବା ଧକ୍କାରେ ଏକ ଟାଟା ଏସି ଗାଡି ଭାଙ୍ଗି ଚୁରମାର ହୋଇଯାଇଛି l ଏହି ଗାଡ଼ିରେ ଥିବା 3 ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି l
ଖବର ପାଇ ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ଓ ଦମକଳ ବାହିନୀ ପହଂଚି ଆହତଙ୍କୁ ଉଦ୍ଧାର କରିବା ସହ ମୃତ ଯୁବକର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି l ନିଆଁକୁ ଆୟତ୍ତ କରିବା ସହ ବାଇକ ଓ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ସହିଦନଗର ଥାନା ପୋଲିସ । ଗାଡିଟି କଟକ RTOରେ ରେଜିଷ୍ଟ୍ରେସନ ହୋଇଥିବାରୁ ଯୁବକ ଜଣଙ୍କ କଟକର ହୋଇଥିବା ଅନୁମାନ କରାଯାଉଛି । ଯୁବକଙ୍କ ଶରୀରର ୮୦ ପ୍ରତିଶତ ଜଳି ଯାଇଥିବା ଯୋଗୁଁ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ଯୁବକଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି ।