ଭୁବନେଶ୍ୱର: ବାତ୍ୟା ଦାନାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ।ଧୀରେ ଧୀରେ ଅଶାନ୍ତ ସମୁଦ୍ର । ଉଠୁଛି ବଡ଼ ବଡ଼ ଢେଉ । ବହୁଛି ପବନ, ଲାଗି ରହିଛି ତୁହାକୁ ତୁହା ବର୍ଷା । ସମୁଦ୍ରରେ ବଡ ବଡ ଢେଉକୁ ଦେଖି ଲୋକେ ଛାନିଆ । ସେହିପରି ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ପୁରୀ ଉପକୂଳ ସମୁଦ୍ରରେ ଜୁଆର ୧ ରୁ ୨ ମିଟର ଅଧିକ ଉଚ୍ଚ ରହିଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ସମୁଦ୍ରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ‘ଦାନା’ ଭିତରକନିକା ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଥିଲା। ମାତ୍ର ଏବେ ବାତ୍ୟା ‘ଦାନା’ର ଗତିପଥରେ ସମାନ୍ୟ ପରିବର୍ତ୍ତନ ହୋଇଛି। ଫଳରେ ଏହା ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ନ ଛୁଇଁ ଅଳ୍ପ ଦୂରେଇବା ସମ୍ଭାବନା ରହିଛି। ଅକ୍ଟୋବର ୨୪ ଗୁରୁବାର ମଧ୍ୟ ରାତିରୁ ବାତ୍ୟା‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇ ୨୫ ଅକ୍ଟୋବର ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଜାରି ରହିବ। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତି ଜାରି ହେବ। ଏହି ସମୟ ମଧ୍ୟରେ ସର୍ବାଧିକ ପବନର ବେଗ ପ୍ରାୟ ୧୨୦ କିଲୋମିଟର ହେବାର ସମ୍ଭାବନା ଅଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହା ସୂଚନା ଦେଇଛନ୍ତି।