ଆତ୍ମସମର୍ପଣ କରିଛନ୍ତି ଯାଜପୁର ଜିଲ୍ଲାର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି

ଯାଜପୁର: ବନ ବିଭାଗ ଛାନଭିନ ପରେ ଆତ୍ମସମର୍ପଣ କରିଛନ୍ତି ଯାଜପୁର ଜିଲ୍ଲାର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି । ଯାଜପୁର ରୋଡ୍ ବନ ବିଭାଗ କାର୍ୟ୍ୟାଳୟକୁ ଆସି ଉଭୟ ମୋନାଲିସା ଓ ତାଙ୍କ ସ୍ବାମୀ ବଦ୍ରି ନାରାୟଣ ଭଦ୍ର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବେଆଇନ ଭାବେ ବନ୍ୟଜନ୍ତୁଙ୍କୁ ରଖି ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଅଭିଯୋଗ ହୋଇଥିଲା। ସେ ନିଜ ଘରେ ମାଙ୍କଡ ରଖିବା ସହ ସାମାଜିକ ଗଣମାଧ୍ୟମରେ ବନ୍ୟଜନ୍ତୁଙ୍କ ଭିଡିଓ ଓ ଫଟୋ ପୋଷ୍ଟ କରୁଥିଲେ।

ଏନେଇ ବନ ବିଭାଗ ତାଙ୍କୁ ବାରମ୍ବାର ତାଗିଦ କରିଥିଲା। ଏପରି କରିବେ ନାହିଁ ବୋଲି ବନ ବିଭାଗକୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ ବାରମ୍ବାର ନିୟମ ଉଲ୍ଲଘଂନ କରିଥିଲେ। ଏପରିକି ମାଙ୍କଡ ନେଇ ରାଜ୍ୟ ବାହାରକୁ ମଧ୍ୟ ଯାଇଥିଲେ। ଏନେଇ ଅଭିଯୋଗ ପରେ ବନବିଭାଗ ଗତ ୨୪ ତାରିଖରେ ଚଢ଼ାଉ କରିଥିଲା। ଏହି ସମୟରେ ଦମ୍ପତି ଫେରାର ଥିଲେ। ଚଢ଼ାଉ ସମୟରେ ଏକ ମାଙ୍କଡ଼କୁ ଉଦ୍ଧାର କରିଥିଲା ବନ ବିଭାଗ। ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନ ବିଭାଗ ଦିନ ତମାନ ଚେଷ୍ଟା କରିଥିଲା। ହେଲେ ଦମ୍ପତିଙ୍କ ପତ୍ତା ପାଇନଥିଲା ବନ ବିଭାଗ। ଖାଲି ହାତରେ ଫେରିଥିଲା। ପରେ ସେମାନଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ନମ୍ବର 275/24ରେ ଏକ ମାମଲା ରୁଜୁ କରାଯାଇଥିଲା। ଆଜି ଉଭୟ ଆତ୍ମସମର୍ପଣ କରିଥିବାବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ରୋଡ୍ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର କହିଛନ୍ତି।