ଆଜିଠୁ ୫ ଦିନ ପର୍ଯ୍ୟନ୍ତ କୋଣାର୍କ ମହୋତ୍ସବ ଆରମ୍ଭ

କୋଣାର୍କ /ସଞ୍ଜୁ -କରୋନା କଟକଣା ମଧ୍ୟରେ ଆଜିଠାରୁ ୫ ଦିନ ବ୍ୟାପୀ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ତମ କୋଣାର୍କ ମହୋତ୍ସବ ଆରମ୍ଭ ହେବ । ରଙ୍ଗୀନ ଆଲୋକ ମାଳାରେ ନବବଧୁ ପରି ସଜେଇ ହୋଇଛି ଅର୍କକ୍ଷେତ୍ର କୋଣାର୍କ । ଏହା ସହିତ ଆଜି ଠାରୁ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ଅନୁଷ୍ଠିତ ହେଉଛି ।


ତେବେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କୋଣାର୍କ ଉତ୍ସବରେ ଦର୍ଶକ ଗ୍ୟାଲେରିରେ ୨ ହଜାର ଦର୍ଶକ ବସିବାର ବ୍ୟବସ୍ଥା କରାଯାଇଥିବାବେଳେ ସିଟ୍ ମଧ୍ୟରେ ୩ ଫୁଟ ଦୂରତା ରକ୍ଷା କରି ବସିବା ବ୍ୟବସ୍ଥା କରାଯାଉଛି । ତେଣୁି ଚଳିତ ବର୍ଷ ଟିକେଟ ସଂଖ୍ୟା ଓ ପାସ୍ ସଂଖ୍ୟା ହ୍ରାସ କରାଯାଉଛି । ସଂଧ୍ୟାରେ ନୃତ୍ୟ ଉପଭୋଗ ସହ କୋଣାର୍କ ସୂର୍ୟ୍ୟମନ୍ଦିରରୁ ୩ କିଲୋମିଟର ଦୂରରେ ଚନ୍ଦ୍ରଭାଗାର ସ୍ବର୍ଣ୍ଣିମ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଦେଖିବାକୁ ମିଳିବ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ୨୫ଟି ଷ୍ଟଲ୍ରେ ବାଲୁକା କଳା ଦେଖିବାକୁ ମିଳିବ।

ଏଥିରେ ଓଡ଼ିଶା ସମେତ ରାଜସ୍ଥାନ, ତାମିଲନାଡ଼ୁ, ବିହାର ଓ ପଶ୍ଚିମବଙ୍ଗରୁ ୭୦ ଜଣ ବାଲୁକା କଳା ଶିଳ୍ପୀ ଅଂଶଗ୍ରହଣ କରି କଳା ପ୍ରଦର୍ଶନ କରିବେ। ୨୦ଜଣ ମହିଳା ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିବେ। କୋଭିଡ୍-୧୯କୁ ଦୃଷ୍ଟିରେ ରଖି ନିୟମାବଳୀକୁ କଡ଼ାକଡ଼ି ପାଳନ କରାଯିବ। ଦର୍ଶକଙ୍କ ପ୍ରବେଶ, ସାମାଜିକ ଦୂରତ୍ବ, ସାନିଟାଇଜେସନ୍ ଓ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯିବ ବୋଲି ସୂଚନା ଦିଆଯାଇଛି।