ରାଇକିଆ– କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ବେଲାପାଙ୍ଗା ଗ୍ରାମରେ ଘଟିଛି ଅଭାବନୀୟ ଘଟଣାଌଣେ ବିବାହିତ ମହିଳା କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।ସୂଚନାଯୋଗ୍ୟ ଯେ, ବେଲାପାଙ୍ଗାର ଜଉରା ପ୍ରଧାନଙ୍କ ପତ୍ନୀ ସ୍ନେହଲତା ପ୍ରଧାନ ନିଜ ବାପ ଘରକୁ ଯିବା ପାଇଁ ସକାଳୁ ସକାଳୁ ଜିଦ୍ ଧରି ବସିଥିଲେ । କିନ୍ତୁ ବର୍ତ୍ତମାନ ଚାଷ ବାସ କାମ ଚାଲିଥିବା ଯୋଗୁଁ ସ୍ବାମୀ ଏଥିରେ ରାଜି ହୋଇନଥିଲେ । ତଳି ଲଗା କାମ ସରିବା ପରେ ବୁଲାବୁଲି କରି ଆସିବା କହିଥିଲେ। ଏହି କଥାରେ ସ୍ତ୍ରୀ ସ୍ନେହଲତା ରାଗିଯାଇ ସ୍ବାମୀ ବିଲ କାମକୁ ବାହାରି ଯିବା ପରେ ଗ୍ରାମରେ ଥିବା ଏକ କୂଅକୁ ଡେଇଁ ପଡିଥିଲେ । ଗ୍ରାମବାସୀ ସ୍ନେହଲତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ପରେ ରାଇକିଆ ଅଗ୍ନିଶମ ବାହିନୀକୁ ଖବର ଦେବାପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ନେହଲତାଙ୍କୁ କୂଅରୁ ଉଦ୍ଧାର କରି ରାଇକିଆ ଡାକ୍ତରଖାନାକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।