ଭକ୍ତଙ୍କ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ବଡମହାସ୍ନାନ

ପୁରୀ: ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ମହାପ୍ରଭୁଙ୍କର ହୋଇଛି ବଡମହାସ୍ନାନ।। ଭିତରକାଠ ନିକଟରେ ଭକ୍ତଙ୍କ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ବଡମହାସ୍ନାନ ହୋଇଥିଲା। ଫଳରେ ଭିତରକାଠ ନିକଟରେ ଧୁଆଧୁଇ ହେବା ସହ ଚୁନପାଣି ପଡି ପବିତ୍ର କରାଯାଇଥିଲା। ତାପରେ ମହାପ୍ରଭୁଙ୍କର ମହାସ୍ନାନ କରାଯାଇ ଅନ୍ୟାନ୍ୟ ନିତି ବଢିଥିଲା। ମହାସ୍ନାନ ଯୋଗୁଁ ବହୁ ସମୟ ଧରି ଦର୍ଶନ ବନ୍ଦ ରହିଥିଲା। ଭକ୍ତଙ୍କ ଧାଡି ଟାଉନଥାନା ପର୍ୟ୍ୟନ୍ତ ଲମ୍ବିଥିଲା। ନାହିଁ ନଥିବା ଗହଳି ହୋଇଥିବାରୁ ବଡମହାସ୍ନାନ ନିତି ଯୋଗୁଁ ସମସ୍ୟା ଉପୁଜିଥିଲା। ଏବେ ଦର୍ଶନ ସ୍ୱଭାବିକ ହୋଇଛି। ଲମ୍ବା ବେରିକେଡରେ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରିବା ସହ ସାନିଧ୍ୟ ଲାଭ କରୁଛନ୍ତି।