ଲାଲବାହିନୀର ପରିଚୟ ଦେଇ ଟଙ୍କା ଆଦାୟ କରୁଥିଲେ ସରକାରୀ ବାବୁ

କଳାହାଣ୍ଡି : ବିଳାସ ମୟ ଜୀବନ ଯାପନ କରିବା ପାଇଁ ନିଜକୁ ଲାଲବାହିନୀର ପରିଚୟ ଦେଇ ଲୋକଙ୍କୁ ହତ୍ୟା ଧମକ ଦେଇ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ ସରକାରୀ ବାବୁ । ବିଭିନ୍ନ ସମୟରେ ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ମାନଙ୍କଠାରୁ ଟଙ୍କା ଆଦାୟ କରି ନିଜ ଗାଁରେ ଏକ ବିଳାଶ ପୂର୍ଣ୍ଣ ଘର ନିର୍ମାଣ କରିଥିଲେ ପଞ୍ଚାୟତ ଅଧିକାରୀ । କିନ୍ତୁ ତାଙ୍କର ଏହି ଯୋଜନାକୁ ପଣ୍ଡ କରିଛି କଳାହାଣ୍ଡି ପୋଲିସ । ଏନେଇ ଆଜି କଳାହାଣ୍ଡି ଏସପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଦେଇଥିବା ସୁଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଞ୍ଚଳର ଜରାଷଣ୍ଢ ସୁନା ଥୁଆମୂଳ ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ ଥିବା ବେଳେ ବଡ଼ ଲୋକ ହେବାର ସ୍ୱପ୍ନ ନେଇ ନକଲି ମାଓବାଦୀ ନାଁରେ ନିଜର ଅନ୍ୟ ଜଣେ ସହଯୋଗୀ ବିଜେପୁର ଥାନା ଅଞ୍ଚଳର ଉଦ୍ଧବ ନାଏକ ସହ ମିଶି ବିଭିନ୍ନ ସମୟରେ ଲୋକଙ୍କୁ ଡରାଇ ଟଙ୍କା ଆଦାୟ କରୁଥିଲେ। ଗତ ୧୦ ତାରିଖ ଦିନ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଳପାଟଣା ପଞ୍ଚାୟତ ନିର୍ବାହୀ ଅଧିକାରୀ ହେମରାଜ ନାଏକଙ୍କୁ ଗତ ଜୁନ ୧୦ ତାରିଖରେ ଏହି ଦୁଇ ନକଲି ମାଓବାଦୀ ଫୋନ କରିଥିଲେ ନିଜକୁ ମାଓବାଦୀ କହି ୨ ଲକ୍ଷ ଟଙ୍କା ଦେବାକୁ ମାଗିଥିଲେ । ଟଙ୍କା ନଦେଲେ ତାଙ୍କ ସହ ପରିବାର ଲୋକଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ମିଳିଥିଲେ । ପରେ ହେମରାଜ ଥୁଆମୂଳ ରାମପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁସାରେ, ଫୋନ ଆସିଥିବା ନମ୍ବରକୁ ଟ୍ରାକ କରି ପୋଲିସ ଅଭିଯୁକ୍ତମାନଙ୍କ ସୂଚନା ପାଇଥିଲା । କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରି ଅଭିଯୁକ୍ତ ନକଲି ମାଓବାଦୀଙ୍କୁ ଟଙ୍କା ଦେବା ଆଳରେ ହେମରାଜ ନାୟକ ଫୋନରୁ କଥା ହୋଇଥିଲା ପୋଲିସ । ଏକ ସ୍ଥାନକୁ ଡାକି ପୂର୍ବ ଯୋଜନା ଅନୁସାରେ ସେମାନଙ୍କ ସହ ହେମରାଜ କଥା ହେବା ସମୟରେ ମାଡି ବସିଥିଲା ପୋଲିସ । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା, ଗୋଟିଏ ବାଇକ, ୩ ଟି ମୋବାଇଲ ଫୋନ ଜବତ କରା ଯାଇଥିବା ବେଳେ ଅଭିଯୁକ୍ତ ଜରାଷଣ୍ଢ ସିନ୍ଦୁର ନିଜ ଗାଁ କେଗାଁ ଥାନା ଅନ୍ତର୍ଗତ ମାଦିଗୁଡା ରେ ନିର୍ମାଣ କରୁଥିବା ଘରକୁ ମଧ୍ୟ ପୋଲିସ ସିଲ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଅଧିକ ପଚାର ଉଚୁରା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ।