(ଭୁବନେଶ୍ୱର ): ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ନେଇ ଖୁବ ତତ୍ପର ପ୍ରକାଶ କରିଛନ୍ତି । ନୂଆ ଭିତ୍ତିଭୂମି ଗଢ଼ି ଉଠିବା ସହ କ୍ରୀଡ଼ାବିତମାନେ ଯେମିତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳ ହେବେ ସେ ନେଇ ମଧ୍ୟ ଅତ୍ୟାଧୁନିକ ପ୍ରଶିକ୍ଷଣର ବ୍ୟବସ୍ଥା ତଥା ଦେଶର ପ୍ରଥମ ଇନ୍ଡୋର ଆଥଲେଟିକ୍ ଟ୍ରାକ୍ ଓଡ଼ିଶାରେ ନିର୍ମାଣ ହେବାକୁ ଯାଉଛି । ଏ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଦେଶର ବୃହତ୍ତମ ହକି ଷ୍ଟାଡିୟମ ରାଉରକେଲାରେ ନିର୍ମାଣ କରୁଛି । ସେହିପରି ଦେଶର ପ୍ରଥମ ଇନ୍ଡୋର ଆଥଲେଟିକ୍ ଟ୍ରାକ୍ ମଧ୍ୟ ଆମେ ନିର୍ମାଣ କରିବାକୁ ଯାଉଛୁ । ହୁଏତ ଆମେ ଦେଶର ପ୍ରଥମ ରାଜ୍ୟ ଭାବେ ପ୍ରତ୍ୟେକ ସହରାଞ୍ଚଳରେ ଇନ୍ଡୋର ସ୍ପୋର୍ଟ୍ସ ହଲ୍ ଏବଂ ଖେଳ ପଡ଼ିଆ ନିର୍ମାଣ କରିବାର ଯୋଜନା କରିଛୁ । ଏନେଇ କେଉଁଠି ନିର୍ମାଣ ହେବ ଏନେଇ କୌଣସି ସୁଚନା ମିଳିନାହିଁ ।
ଯୁବବର୍ଗଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆସ ସବୁ କ୍ଷେତ୍ରରେ ନିଜର ପ୍ରତିଭାକୁ ପ୍ରସ୍ଫୁଟିତ କରି ଏକ ନୂଆ ଓଡ଼ିଶା ଗଠନ କରିବା । କ୍ରୀଡ଼ା ସୁସ୍ଥ ଏବଂ ଶୃଙ୍ଖଳିତ ସମାଜ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ ।’ଗତ ଏକ ଦଶନ୍ଧିରେ ଓଡ଼ିଶାରେ କ୍ରୀଡ଼ାକୁ ନେଇ ବହୁ ବିକାଶମୂଳକ କାର୍ୟ୍ୟ ହୋଇଛି । ହକି ବିଶ୍ୱକପ୍, ଏସିଆନ ଆଥଲେଟିକ ଚାମ୍ପିଅନସିପ୍ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହୋଇଛି । ଜୁନିୟର ମହିଳା ଫିଫା ବିଶ୍ୱକପ୍, ଏଏଫ୍ସି ଏସିଆନ କପ୍ ଓ ହକି ବିଶ୍ୱକପ୍ ଭଳି କିଛି ବଡ଼ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ମଧ୍ୟ ଆଗକୁ ଭୁବନେଶ୍ୱରରେ ଆୟୋଜିତ ହେବାର ସମ୍ଭାବନା ରହିଛି ।