ଭୁବନେଶ୍ବର; ଲକ୍ଷ୍ୟ ଏକ, ପ୍ରତିଭା ଅନେକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରଥମ ଥର ଆୟୋଜନ କରାଯାଇଥିଲା ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟାନସିପ୍ -୨୦୨୫। ବିଗତ ୧୬ ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ବହୁ ପ୍ରତିକ୍ଷୀତ ଫାଇନାଲ୍ ମ୍ୟାଚ୍ ରାଉରକେଲା ସ୍ଥିତ ବିର୍ସାମୁଣ୍ଡା ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଏଫସି ଭୁବନେଶ୍ୱର ଏଫସିକୁ ୩-୨ ଗୋଲ୍ ବ୍ୟବଧାନରେ ପରାସ୍ତ କରି ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟାନସିପ୍ -୨୦୨୫ର ବିଜେତା ହୋଇଛି।
ଏହି ଫାଇନାଲ୍ ମ୍ୟାଚ୍ରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ କ୍ରୀଡ଼ାବିତ ମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ତୃଣମୂଳ ସ୍ତରରୁ ଓଡ଼ିଶାର ପ୍ରତିଟି ଗାଁରେ ଯେପରି କ୍ରୀଡ଼ା ପ୍ରତିଭା ବିକଶିତ ହୋଇପାରିବ ସେହି ଲକ୍ଷ୍ୟରେ ସିଏମ୍ ଟ୍ରଫି ଚାମ୍ପିୟାନସିପ୍ର ଆୟୋଜିତ ହୋଇଥିଲା। ବିଜୟୀ ଦଳ ବରଗଡ଼ ଏଫସି ଏବଂ ଏହି ଚାମ୍ପିୟାନସିପ୍ରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୂର୍ଯ୍ୟବଂଶୀ । ଏଥିସହିତ ଆଗାମୀ ଦିନରେ ବିଭିନ୍ନ କ୍ରୀଡ଼ା ଯଥା ଆଥଲେଟିକ୍ସ, ବ୍ୟାଡ଼ମିଣ୍ଟନ, ଖୋଖୋ, କବାଡ଼ି, ହକି ଓ ଅନ୍ୟାନ୍ୟ କ୍ରୀଡ଼ାକୁ ମଧ୍ୟ ସିଏମ୍ ଟ୍ରଫି ଚାମ୍ପିୟନ୍ସିପ୍ରେ ସାମିଲ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ।
ଅନ୍ୟପଟେ, ଆଜିର ସିଏମ୍ ଟ୍ରଫି ଚାମ୍ପିୟାନସିପ୍ର ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା ପୁଟବଲ୍ ଆସୋସିଏସନ୍ର ପ୍ରେସିଡେଣ୍ଟ ତଥା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ସିଏମ୍ ଟ୍ରଫି ଚାମ୍ପିୟାନସିପ୍ ଓଡ଼ିଶାର ସମସ୍ତ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ସହ ଏହି ପ୍ରତିଯୋଗିତାର ଆୟୋଜନ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ବିକଶିତ ହୋଇପାରିଛି ଏବଂ ରାଜ୍ୟରେ କ୍ରୀଡ଼ାର ବିକାଶର ଏହି ଜୟଯାତ୍ରା ଆଗକୁ ମଧ୍ୟ ଏହିପରି ଭାବେ ଜାରି ରହିବ ବୋଲି କହିଛନ୍ତି।