ନୂଆଦିଲ୍ଲୀ: ସିବିଏସଇ ପ୍ରଥମ ଥର ପାଇଁ ନୂଆ ଓଏମଆର ସିଟ୍ ନିର୍ଦ୍ଧାର କରିଛି । ପରୀକ୍ଷା ସମୟ ୯୦ ମିନିଟର ଥିବାବେଳେ ନଭେମ୍ବର ୧୬ରୁ ଏହା ଆରମ୍ଭ ହେବ । ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ମୋଟ ୩୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି ।ପ୍ରତ୍ୟେକଟି ପେପରରେ ୬୦ ଲେଖାଏଁ ପ୍ରଶ୍ନ ଥିବାବେଳେ ଛାତ୍ରଛାତ୍ରୀମାନେ କେବଳ ପେନରେ ଉତ୍ତର ଦେଇପାରିବେ । ଏହି ଓଏମଆର୍ ସିଟରେ ଛାତ୍ରଛାତ୍ରୀ ଉତ୍ତର ଦେବା ସମୟରେ ଯଦି ଭୁଲ୍ ଉତ୍ତର ଦେଇଦିଅନ୍ତି ତେବେ ଏହାକୁ ସଂଶୋଧନ କରି ପୁନର୍ବାର ଏହାର ସଠିକ୍ ଉତ୍ତର ମଧ୍ୟ ଦେଇପାରିବେ କାରଣ ଏହାର ଡାହାଣ କଡ଼ରେ ଆଉ ଏକ ବାକ୍ସ ରହିଛି । ଭୁଲ ଉତ୍ତରକୁ ଠିକ୍ କରିବା ପାଇଁ ଛାତ୍ରଛାତ୍ରୀମାନେ ଏଥିରେ ପୁନର୍ବାର ସଠିକ୍ ଉତ୍ତର ଦେଇପାରିବେ । ଯଦି ସେମାନେ ନିଜ ଉତ୍ତରକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ସେମାନେ ଏହା ବ୍ୟବହାର କରିପାରିବେ । ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦେବାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ପରୀକ୍ଷା ପୂର୍ବରୁ ଏହି ନୂତନ ଓଏମଆର୍ ସିଟର ଏକ ଭିଡିଓ ସେୟାର କରିାଯାଇଛି ।