ତିନି ପଲଟ ଖାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା କାର

(ଯାଜପୁର ): ଯାଜପୁର ସଠିପୁର ରାସ୍ତାର କମାଗଡ଼ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ଯାଜପୁର ବ୍ଲକ ବାଣପୁର ଗ୍ରାମର ରବୀନ୍ଦ୍ର ଜେନାଙ୍କ ଝିଅ ଉର୍ମିଳା ଜେନା । ସ୍ଥାନୀୟ ଲୋକେ ଗୁରୁତର ୫ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ଉର୍ମିଳାଙ୍କୁ ମୃତ ଘୋଷଣା କରିଥିଲେ । ଆହତମାନଙ୍କ ମଧ୍ୟରେ ମଧୁଲିକାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଯାଜପୁର ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରୀ ରହିଛି ।

ସୂଚନା ମୁତାବକ, ଏକ ମାରୁତି ଡିଜେଆର୍ କାର ଯୋଗେ ଷ୍ଟାର ଇଣ୍ଡିଆ ଡ୍ୟାନ୍ସ ଗ୍ରୁପ୍‌ର ୮ଜଣ କଳାକାର ପାଣିକୋଇଲିରେ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ବାହାରିଥିଲେ । କମାଗଡ଼ ନିକଟରେ କୌଣସି କାରଣରୁ ଚାଳକ ଭାରସାମ୍ୟ ହରାଇ ବସିଥିଲେ । ଯେଉଁଥି ପାଇଁ ଗାଡ଼ିଟି ତିନି ପଲଟ ଖାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ।