ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଧୀରେ ଧୀରେ ସମର୍ଥନ ବଢିବାରେ ଲାଗିଛି। ପୂର୍ବରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୱାଏସଆର କଂଗ୍ରେସ ମୁଖ୍ୟ ଜଗମୋହନ ରେଡ୍ଡୀ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବା ଲାଗି ଘୋଷଣା କରିସାରିଛନ୍ତି। ଦ୍ରୌପଦୀ ମୁର୍ମୁ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ବିଏସପି ତାଙ୍କୁ ସମର୍ଥନ ଦେବ। ଏନେଇ ବିଏସପି ସୁପ୍ରିମୋ ସୁଶ୍ରୀ ମାୟାବତୀ ସୂଚନା ଦେଇଛନ୍ତି। ଏଥିସହିତ ମାୟାବତୀ ବିରୋଧୀ ମେଣ୍ଟ ଉପରେ ବର୍ଷିଛନ୍ତି। ବିରୋଧୀ ମେଣ୍ଟ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ବିଏସପି ସହ ପରାମର୍ଶ କରିନଥିଲେ ବୋଲି ମାୟାବତୀ କହିଛନ୍ତି। ମାୟାବତୀ ଅଭିଯୋଗ କରିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାଓ୍ବାର ବିଏସପିକୁ ପ୍ରାର୍ଥୀ ଚୟନ ପାଇଁ କରିଥିବା ବୈଠକକୁ ଡାକି ନଥିଲେ। ବିଏସପି ଏକମାତ୍ର ଜାତୀୟ ଦଳ, ଯାହାର ନେତୃତ୍ବ ଦଳିତଙ୍କ ପାଖରେ ରହିଛି। ଜାତିଆଣ ମାନସିକତା ରଖୁଥିବା ଲୋକେ ସବୁବେଳେ ବିଏସପିକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମାୟାବତୀ।