ନରସିଂହପୁର: ପୁରା ଖୁସି ଥିଲେ ପୁରା ପରିବାର । ପୁଅର ବାହାଘର ହେବ । ଘରକୂ ନୂଆ ବୋହୁ ଆସିବ । ହେଲେ ଅଚାନକ ଖୁସିର ସଂସାରରେ କଳା ବାଦଲ ଢାଙ୍କି ଦେଲା । ପାଣିର ଫୋଟକା ପାରି ଫାଟି ଗଲା ପରିବାର ସବୁ ସୁଖ । ଘରୁ ବାହାରିଲା ବରର ପ୍ରସେଦନ ଗାଡି । ଆଉ କିଛି ସମୟ ଭିତରେ ଘଟିଗଲା ଅଘଟଣ । ବର ପିତାଙ୍କ ଉପରେ ମାଡ଼ିଗଲା ବରଯାତ୍ରୀ ବସ୍। ଚାଲିଗଲା ତାଙ୍କ ଜୀବନ। ଏଭଳି ଏକ ଘଟଣା ଆଜି ଘଟିଛି କଟକ ଜିଲ୍ଲା ନରସିଂହପୁରର ଚତରାପଦା ଗାଁରେ। ମୃତ ବ୍ୟକ୍ତିଙ୍କ ଗାଁରେ ବିମ୍ବାଧର ନାୟକ।
ସୂଚନା ଅନୁଯାୟୀ, ବରଯାତ୍ରୀ ଯିବା ପାଇଁ ଗୋଟିଏ ବସ୍ ଓ ତିନିଟି କାର୍ ହୋଇଥିଲା। ବର ଘରୁ ବାହାରି ତାଙ୍କ କାରରେ ବସିଥିଲେ। ଅନ୍ୟ ଦୁଇଟି କାର୍ ଓ ଡିଜେ ଗାଡ଼ି ଆଗରେ ଥିଲା। ବସ୍ରେ ଅନେକ ବରଯାତ୍ରୀ ବସି ସାରିଥିଲେ। ଆହୁରି ଅନେକ ବରଯାତ୍ରୀ, ଗାଁଲୋକ ଓ ବନ୍ଧୁବାନ୍ଧବ ରାସ୍ତାରେ ଥିଲେ। ଆଉ ପ୍ରୋସେସନ ଚାଲିଥିଲା। ଏହି ସମୟରେ ହଠାତ୍ ବରଯାତ୍ରୀ ବସ୍ଟି ଦ୍ରୁତଗତିରେ ସମସ୍ତଙ୍କ ଆଡ଼କୁ ମାଡ଼ି ଆସିଥିଲା। ଜୋରରେ ପାଟି କଲେ ମଧ୍ୟ ଡ୍ରାଇଭର ଗାଡ଼ିକୁ ଅଟକାଇ ନଥିଲେ। ଗାଡ଼ି ୮/୧୦ ଜଣଙ୍କ ଉପରେ ଚଢ଼ିଯାଇଥା’ନ୍ତା। ଭାଗ୍ୟ ଭଲ ସେମାନେ କୌଣସି ମତେ ବସ୍ ସମ୍ମୁଖରୁ ଏପଟ ସେପଟ ହୋଇଗଲେ ଓ ବଞ୍ଚିଗଲେ। କିନ୍ତୁ ବରର ପିତା ବରଯାତ୍ରୀ ବସ୍ର ଚକାତଳେ ପଡ଼ିଗଲେ। ଏହି ଘଟଣା ଘଟିବା ପରେ ବିମ୍ବାଧର ନାୟକଙ୍କୁ ତୁରନ୍ତ ନରସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାର ପକ୍ଷରୁ ଏହି ଘଟଣା ନେଇ ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ନରସିଂହପୁର ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।