ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ତଉକତେର ରୂପ ନେଇଛି । ଆସନ୍ତା ୧୨ ଘଣ୍ଟ।। ଭିତରେ ଏହା ଅଧିକ ଘନୀଭୂତ ହୋଇ ଭୀଷଣରୁ ଅତି ଭୀଷଣ ରୂପ ନେବାର ଅନୁମାନ କରାଯାଉଛି । ଏବେ ଅମୀନ ଦେବୀ ଠାରୁ ୧୬୦ କିମି, ପନଞ୍ଜିମ-ଗୋଆ ଠାରୁ ୩୫୦ କିମି, ଗୁଜରାଟର ଭେରଭଲା ଠାରୁ ୯୬୦ କିମି ଓ ପାକିସ୍ତାନର କରାଚି ଠାରୁ ୧୦୫୦ କିମି ଦୂରରେ ରହିଛି। ଆସନ୍ତା ୧୮ ତାରିଖରେ ଭୟଙ୍କର ରୂପ ନେଇ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
୧୮ ତାରିଖ ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ବାତ୍ୟା ଭୟଙ୍କର ରୂପ ନେଇ ଗୁଜରାଟର ପୋରବନ୍ଦର ଓ ନଲିୟାରେ ସ୍ଥଳ ଭାଗ ଅତିକ୍ରମ କରିବ । ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିମି ଓ କେତେକ ସ୍ଥାନରେ ୧୭୫ କିମି ଛୁଇଁବାର ଆଶଙ୍କା ରହିଛି। ବର୍ତ୍ତମାନ ତଉକତେ ପ୍ରଭାବରେ ଘଣ୍ଟାପ୍ରତି ପବର ବେଗ ୭୫ରୁ ୮୫ କିମି ରହିଛି। ଧୀରେଧୀରେ ଏହା ବୃଦ୍ଧି ପାଇବ। ସେହିପରି ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି।
ତଉକତେ ପ୍ରଭାବରେ ଗତକାଲି ବିଳମ୍ବିତ ରାତିରୁ କେରଳରେ ବର୍ଷା ଆରମ୍ଭ ହୋଇଯାଇଛି। କିଛି ତଳିଆ ଅଞ୍ଚଳରେ ଅଚାନକ ଲଗାଣ ବର୍ଷାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମାଟିର ଘର ଭାଙ୍ଗି ଯାଇଥିବା ବେଳେ ଏନଡିଆରଏଫ ଟିମ୍ ଜଳବନ୍ଦୀ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। କୋଚି ଠାରୁ ଆରମ୍ଭ କରି ଥିରୁବନନ୍ତପୁରମ ସବୁଠି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି।