(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଶନିବାର ଠାରୁ ଘରକୁ ଘର ବୁଲି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ ହେବ । ଏଥିଲାଗି ଜିଲ୍ଲାର ସହରାଞ୍ଚଳ ଗୁଡ଼ିକରେ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କୁ ଖୋଜିବ ପ୍ରଶାସନ। ଆସନ୍ତାକାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୪ ଦିନ ଧରି ୧୮ଟି ସହରାଞ୍ଚଳରେ ଆରମ୍ଭ ହେବ ସ୍ୱାସ୍ଥ୍ୟ ଯାଞ୍ଚ କାର୍ୟ୍ୟକ୍ରମ। ୨୦୩ଟି ସ୍ୱାସ୍ଥ୍ୟ ଟିମ୍ ଘରକୁ ଘର ବୁଲି ଥର୍ମାଲ୍ ସ୍କ୍ରିନିଂ ଓ ଅକ୍ସିମିଟର ସହ ଯାଞ୍ଚ କରିବେ। ପ୍ରତି ଟିମ୍ରେ ଜଣେ ଲେଖାଏଁ ଡାକ୍ତର ରହିବେ। ଲକ୍ଷଣଯୁକ୍ତ ବ୍ୟକ୍ତି ଜଣାପଡ଼ିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।
ଜିଲ୍ଲାର କୋଭିଡ଼୍ ପରିଚାଳନା ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଥିଲେ। ବର୍ତ୍ତମାନ ଗୋଟିଏ ବ୍ଲକ୍ ରେ କେବଳ ଗୋଟିଏ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ୟ୍ୟକ୍ଷମ ରଖିବା ଲାଗି ସ୍ଥିର ହୋଇଛି। ଏ ଦିଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ପଦକ୍ଷେପ ଗ୍ରହଣ କରିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଦୂରତ୍ବ ବଜାୟ ରଖିବା ଦିଗରେ ଚଢ଼ଉକୁ ଅଧିକ ଜୋରଦାର କରିବା ଲାଗି ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସଂକ୍ରାନ୍ତରେ ତହସିଲଦାର ମାନେ ହିଁ ଉତ୍ତରଦାୟୀ ରହିବେ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି। ଦୋକାନ ଗୁଡିକରେ ଦଉଡ଼ି ବଦଳରେ ବାଉଁଶ ବାନ୍ଧି ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ପଞ୍ଚସୂତ୍ରୀ ନିୟମାବଳୀ କଡ଼ାକଡ଼ି କାର୍ୟ୍ୟକାରୀ କରିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ସମୟରେ ଦୋକାନ ଗୁଡ଼ିକରେ ଭିଡ଼ ଜମୁଥିବାରୁ ସେହି ସମୟରେ ହିଁ ଚଢ଼ଉ କରିବା ଲାଗି ବୈଠକରେ ଆଲୋଚନା ହୋଇଛି। ଅଟୋ ଗୁଡ଼ିକରେ ଅଧିକ ଲୋକଙ୍କ ନେବାକୁ ମନା କରାଯାଇଛି । ତଥାପି ଏହାକୁ ଅଟୋଚାଳକ ମାନେ ପାଳନ କରୁନାହାନ୍ତି। ସାମଗ୍ରୀ ନେବା ଆଣିବାରେ ଅଟୋ ବ୍ୟବହାର କରାଯାଇପାରିବ। ଲୋକଙ୍କୁ ନେବା ଆଣିବା ନ କରିବା ଲାଗି ଅଟୋଚାଳକଙ୍କୁ ସଚେତନ ସହ ଅବଗତ କରାଇବାକୁ ବୈଠକରେ ଆଲୋଚନା ହୋଇଛି। ସଂକ୍ରମିତ ବ୍ୟକ୍ତିଙ୍କୁ ୨୪ ଘଣ୍ଟା ମଧ୍ୟରେ ଆଡମିଶନ୍ କରାଯାଉ । ଚିକିତ୍ସା ଅଧିକାରୀଙ୍କ ନିଷ୍ପତ୍ତି ଅନୁସାରେ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ଥାନାନ୍ତରୀତ ଓ ଡିସଚାର୍ଜ କରାଯାଉ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂରେ ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୋଲ୍ ପଟ୍ଟଓ୍ବାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ଆର୍ ଜଗଦୀଶ ପଟ୍ଟନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।