(ସେଖ୍ ଫୈଜନ କାଦ୍ରୀ/ଭଦ୍ରକ): ରାଜ୍ୟରେ କରୋନା ମହାମାରୀ ଏବେ ଭୟଙ୍କର ରୂୂପ ନେଇଥିବା ବେଳେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ଗାଁର ଯୁବକ ସ୍ୱଦେଶ ପରିଡା ସ୍ଥାନୀୟ ଲୋକମାନଙ୍କୁ ଦୀର୍ଘ ଦିନ ଧରି ସେବା ଯୋଗାଇ ଆସୁଛନ୍ତି । ସେବା ନାମକ ଏକ ଗ୍ରୁପ ଗଠନ କରି ପ୍ରଥମେ ସେ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିବା ସହ ସେମାନଙ୍କୁ କରୋନାର ମୁକାବିଲା ପାଇଁ ସଚେତନ କରାଇଥିଲେ । ପରେ ପ୍ରବାସୀ ଶ୍ରମିକ ଯାଉଥିବା ଗାଡିକୁ ଅଟକାଇ ଖାଦ୍ୟ ଓ ପାଣିବୋତଲ ଯୋଗାଇଥିଲେ। ଏବେ ସ୍ୱଦେଶ ଓ ତାଙ୍କ ଗ୍ରୁପର ସଦସ୍ୟମାନେ ଭଦ୍ରକ ସହରର ଦୋକାନ ବଜାର ଓ ବିଭିନ୍ନ ସାହି ବସ୍ତିରେ ମାସ୍କ ଓ ବିସ୍କୁଟ ବାଣ୍ଟୁଥିବା ଦେଖିବାକୁ ମିଳୁଛି । ଆଜି ଅନନ୍ତପୁର ଗାଁରେ ଥିବା ଆଦିବାସୀ ସାହିରେ ସେ ଓ ତାଙ୍କ ଗ୍ରୁପ ପ୍ରାୟ ୭୦ ଜଣ ଅସହାୟ ଲୋକଙ୍କୁ ଆଳୁ, ପିଆଜ, ଡାଲି, ଚୂଡା, ବିସ୍କୁଟ ଆଦି ରାସନ ସାମଗ୍ରୀ ସହ ମାସ୍କ ଓ ସାନିଟାଇଜର ବାଣ୍ଟିଛନ୍ତି । ତେବେ ଏହି ମହାମାରୀ ଭଳି ସମୟରେ ଲୋକଙ୍କ ପ୍ରତି ତାଙ୍କର ସେବା କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି ।