ରାଉରକେଲା : ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ । ପୋଖରୀରୁ ମୃତଦେହ ଉଦ୍ଧାର । ରାଉରକେଲା RSP ପ୍ରଶାସନିକ ଭବନ ନିକଟସ୍ଥ ସେନ୍ସରି ପାର୍କ ପୋଖରୀର ମୃତ ଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ରାଉରକେଲାର ସୁସ୍ମିତା ମିଞ୍ଜ (୩୫)। ଆସିଷ୍ଟାଣ୍ଟ କଲେକ୍ଟର ଭଳି ଜଣେ ଉଚ୍ଚପଦବୀରେ ଥିବା ମହିଳା ଅଧିକାରୀଙ୍କ ମୃତ୍ୟୁକୁ ନେଇ ସହରରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏପରି କି ଏହି ଘଟଣାରେ ନିର୍ଦ୍ଦିଷ୍ଟ ଦୁଇ ବରିଷ୍ଠ ଅଧିକାରୀ ସମ୍ପୃକ୍ତ ଥିବା ସେମାନେ କହିଛନ୍ତି । ଅନ୍ୟପଟେ ପୁଲିସ୍ ଉକ୍ତ ଘଟଣାକୁ ଗୁରୁତ୍ୱର ସହ ନେଇ ଖୋଳତାଡ଼ ଆରମ୍ଭ କରିଛି ।
ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାମାବାହାଲର ମୂଳବାସିନ୍ଦା ସୁସ୍ମିତା ପ୍ରଥମେ ବଣାଇଁ ଏବଂ ପରେ ସୁନ୍ଦରଗଡ଼ରେ କିଛିବର୍ଷ ଧରି କାର୍ଯ୍ୟ କରିଥିଲେ । ଗତ ଦେଢ଼ବର୍ଷ ହେବ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗ ଦେଇଥିଲେ। ମୃତ ସୁସ୍ମିତାଙ୍କ ଭାଇ ସନ୍ଦୀପ ମିଞ୍ଜଙ୍କ କହିବା କଥା, ପ୍ରାୟ ମାସେ ହେଲା ଭଉଣୀ ମାନସିକ ଅବସାଦରେ ରହୁଥିଲେ ।
ଗତ ୧୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବିଡିଓ ଏବଂ ତହସିଲଦାରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସୁସ୍ମିତାଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ଏବଂ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ୧୭ ତାରିଖ (ରବିବାର) ଗୁରୁଣ୍ଡିଆ ବିଡିଓ ସୁସ୍ମିତାଙ୍କ ଘରକୁ ଯାଇ ତାଙ୍କ ମାଆଙ୍କୁ ଏ ବିଷୟରେ ଜଣାଇଥିଲେ । ୧୭ ତାରିଖରେ ଉଦିତ୍ନଗର ଥାନାରେ ପହଞ୍ଚି ଭଉଣୀ ନିଖୋଜ ଥିବା ନେଇ ଅଭିଯୋଗ କରାଯାଇଥିଲା । ସେହିଦିନ ରାତି ପ୍ରାୟ ସାଢ଼େ ୯ଟାରେ ଭଉଣୀଙ୍କ ସନ୍ଧାନ ମିଳିଥିଲା । ମଙ୍ଗଳବାର ସନ୍ଧ୍ୟାରେ ସୁସ୍ମିତାଙ୍କ ମୃତଦେହ ସେନ୍ସୋରୀ ପାର୍କ ପୋଖରୀରୁ ଉଦ୍ଧାର କରାଯାଇଥିବା ପୁଲିସ୍ କହିଥିଲା । ହେଲେ ସେ ହୋଟେଲରୁ ବାହାରି ପାର୍କକୁ କିପରି ଗଲେ ଏବଂ ସେ ସମ୍ପର୍କରେ ସମ୍ପୃକ୍ତ ପୁଲିସ୍ କର୍ମଚାରୀ କିପରି ଜାଣିପାରିଲେ ନାହିଁ ବୋଲି ସନ୍ଦୀପ ପ୍ରଶ୍ନ କରିଛନ୍ତି ।