ମୁମ୍ବାଇ: ବଲିଉଡ୍ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଛାନଭିନ ପାଇଁ ଗତକାଲି ପ୍ରବର୍ତ୍ତନ ମନ୍ତ୍ରଣାଳୟ ରିୟା ଚକ୍ରବର୍ତ୍ତୀଙ୍କୁ ଦୀର୍ଘ ୮ ଘଣ୍ଟା କାଳ ଜେରା କରିଥିଲା । ତେବେ ଜେରାରେ ରିୟା ତାଙ୍କ ସପକ୍ଷରେ ବହୁତ କିଛି ସଫେଇ ଦେଇଛନ୍ତି । ରିୟା ସୁଶାନ୍ତ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କଥାକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଛନ୍ତି । ଏଥିସହିତ ସେ ତାଙ୍କ ବ୍ୟବସାୟିକ କ୍ଷେତ୍ରରେ ସୁଶାନ୍ତଙ୍କ ଟଙ୍କା ବ୍ୟବହାର କରିନାହାନ୍ତି ବୋଲି ମଧ୍ୟ କହିଛନ୍ତି । ଏପରିକି ମୁମ୍ବାଇରେ ତାଙ୍କ ନାଁରେ ଥିବା ଫ୍ଲାଟ୍ କୁ ସେ ଲୋନ୍ କରି କିଣିଛନ୍ତି ବୋଲି କହିଛନ୍ତି ।
ଜେରା ବେଳେ ରିୟା କହିଛନ୍ତି ଯେ ମୁମ୍ବାଇର ଖାନ ସବ୍ଅର୍ବାନ୍ ଅଞ୍ଚଳରେ ଥିବା ୮୫ ଲକ୍ଷ ଟଙ୍କାର ଫ୍ଲାଟ୍ କିଣିବା ପାଇଁ ସେ ବ୍ୟାଙ୍କରୁ ଲୋନ କରିଥିଲେ । ଏଥିସହିତ ନିଜର ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ କରୁନଥିଲେ । ରିୟା କହିଛନ୍ତି ଯେ, ସୁଶାନ୍ତଙ୍କ ୨ଟି ଫାର୍ମ ମଧ୍ୟରୁ କେବଳ ୨ଟି ଫାର୍ମର ସେ ଡାଇରେକ୍ଟର ଥିଲେ । ତେବେ ପୁନର୍ବାର ଯାଞ୍ଚ ପାଇଁ ରିୟା ଇଡି ସମ୍ମୁଖରେ ପୁଣି ହାଜର ହୋଇପାରନ୍ତି ।