ଭରତପୁର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ । ଅଭିଯୁକ୍ତ ନରହରି ନାୟକକୁ ଗିରଫ କରିଛି ଭରତପୁର ଥାନା ପୁଲିସ । ଅଭିଯୁକ୍ତର ଘର ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠା ଅଞ୍ଚଳରେ ହୋଇଥିବା ବେଳେ, ତା ନାଁରେ ପୂର୍ବରୁ ଭଞ୍ଜନଗର ଓ ଭରତପୁର ଥାନାରେ ରହିଛି ଅନେକ ଅପରାଧିକ ମାମଲା। ଗିରଫ ବେଳେ ନରହରିଙ୍କ ପାଖରୁ ୨ ଟି ବାଇକ, ରକ୍ତ ଭିଜା କପଡା ଏବଂ ହତ୍ୟାରେ ବ୍ୟବହୃତ ସିମେଣ୍ଟ ଇଟା ପୋଲିସ୍ ଉଦ୍ଧାର କରିଛି।
ସୂଚନାଯୋଗ୍ୟ, ଗତ ୧୮ ତାରିଖ ଦିନ ଭରତପୁର ଥାନା ସୋମନାଥ ବସ୍ତିରେ ଏକ ବିଭତ୍ସ ହତ୍ୟା କାଣ୍ଡ ଘଟିଥିଲା। ଟଙ୍କା ବଣ୍ଟାକୁ କେନ୍ଦ୍ର କରି କୈଳାସ ନାୟକ ଓରଫ ମୁନାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କାରଣ ଭଡାଘରେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା । ଖବର ପାଇବା ପରେ ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି,ଏହାର ତଦନ୍ତ କରିଥିଲା । ଆଉ ଏବେ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ୍ ।