ଡ୍ରାଗନ କ୍ୟାପସୁଲରୁ ବାହାରିଲେ ଶୁଭାଂଶୁ

ଯୋଡିହେଲା ସଫଳତାର ଆଉ ଏକ ଫର୍ଦ୍ଦ । ଫେରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ଆଇଏସଏସ ଷ୍ଟେସନରୁ ଅଲଗା ହୋଇ ପୃଥିବୀ ଅଭିମୁଖେ ଯାତ୍ରା କରି, ଆଜି ସଫଳତାର ସହ ପୃଥିବୀ ପୃଷ୍ଠରେ ପାଦ ପକାଇଛନ୍ତି ମହାକାଶଚାରୀ ଶୁଭାଂଶୁ । ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ ମଧ୍ୟ ପୃଥିବୀକୁ ଫେରିଛନ୍ତି।

ଗତ ଜୁନ ୨୫ ତାରିଖରେ ଆମେରିକାର କେନେଡି ସ୍ପେସ ସେଣ୍ଟରରୁ ଆଇଏସଏସକୁ ଯାଇଥିଲେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ। ଏବଂ ଜୁନ ୨୬ ତାରିଖରେ ଆଇଏସଏସରେ ହୋଇଥିଲା ଡକିଂ। ଏହି ମିଶନରେ ଶୁଭାଂଶୁଙ୍କ ସହିତ ଆମେରିକୀୟ ମହାକାଶଚାରୀ ପେଗି ହ୍ବିଟସନ, ପୋଲାଣ୍ଡର ସ୍ଲାଭୋସ ଉଜନାନସ୍କି ୱିସନିୱସ୍କି ଓ ହଙ୍ଗେରିର ଟିବୋର୍‌ କାପୁ ସାମିଲ ଥିଲେ । ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ୍‌ରେ ଫାଲକନ ରକେଟ୍‌ରେ ଏହି ମହାକାଶଚାରୀମାନେ ଯାତ୍ରା କରିଥିଲେ। ଶୁଭାଂଶୁ ଶୁକ୍ଳା ସେଠାରେ ଭାରତ ପାଇଁ ସାତଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ କରିଛନ୍ତି। ଏହା ବ୍ୟତୀତ, ସେ ISRO ଏବଂ NASA ସହ ସହଭାଗୀତାରେ ପାଞ୍ଚଟି ପରୀକ୍ଷଣ କରିଛନ୍ତି। ସେ ସ୍ପ୍ରାଉଟ୍ସ ପ୍ରୋଜେକ୍ଟରେ ବି କାମ କରିଥିଲେ।