ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତ ପୋଷ୍ୟ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଥାଲାସେମିଆରେ ପୀଡିତ ରୋଗୀମାନଙ୍କ ଦେହରେ ପ୍ରାକୃତିକ ଉପାୟରେ ରକ୍ତ ତିଆରି ହୋଇ ପାରି ନ ଥାଏ । ଫଳରେ ଏମାନେ ନିୟମିତ ବ୍ୟବଧାନରେ ରକ୍ତ ଗ୍ରହଣ କରିଥାନ୍ତି । ବର୍ତମାନ କରୋନା ମହାମାରୀ ସମୟରେ ରକ୍ତଦାତା ମିଳୁ ନ ଥିବାରୁ ଏହି ଥାଲାସେମିଆ ରୋଗୀମାନେ ଆବଶ୍ୟକ ହେଉଥିବା ରକ୍ତ ନ ପାଇ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସାମାଜିକ ସଂଗଠନ ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଥାଲାସେମିଆ ରୋଗୀଙ୍କ ପାଇଁ ଆରମ୍ଭ କରାଯାଇଛି ରକ୍ତ ପୋଷ୍ୟ କାର୍ଯ୍ୟକ୍ରମ ।
ଏହି କାର୍ୟ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସ୍ୱେଚ୍ଛାକୃତ ରକ୍ତଦାତାମାନେ ଜଣେ ଜଣେ ଥାଲାସେମିଆ ପୀଡିତ ବା ପୀଡିତାଙ୍କୁ ରକ୍ତପୋଷ୍ୟ ଭାବେ ଗ୍ରହଣ କରିବେ ଏବଂ ସେହି ରୋଗୀମାନଙ୍କ ପାଇଁ ଆବଶ୍ୟକ ସମୟରେ ରକ୍ତଦାନ କରିବେ।ଫଳରେ ଥାଲାସେମିଆ ରୋଗୀର ପରିବାର ବର୍ଗଙ୍କୁ ସମାନ ଗ୍ରୁପର ରକ୍ତଦାତା ଖୋଜିବା ପାଇଁ ଆଉ ପରିଶ୍ରମ କରିବାକୁ ପଡିବ ନାହିଁ ବୋଲି ସମର୍ପିତ ଓ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ସଦାଶିବ ଜେନା କହିଛନ୍ତି।
ପ୍ରଥମ ପର୍ୟ୍ୟାୟରେ ସମର୍ପିତ ଓ ସେବାର ସଦସ୍ୟ ବିଶ୍ୱଜିତ ଲେଙ୍କା ଓ ରାକେସ ପରିଡା ଦୁଇଜଣ ଥାଲାସେମିଆ ରୋଗୀଙ୍କୁ ରକ୍ତପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଓ ସେମାନଙ୍କ ପାଇଁ ବି ଏମ୍ ସି ହସ୍ପିଟାଲ ରକ୍ତଭଣ୍ଡାରରେ ରକ୍ତଦାନ ମଧ୍ୟ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ଯଦି କୌଣସି ସ୍ୱେଚ୍ଛାକୃତ ରକ୍ତଦାତା କୌଣସି ଥାଲାସେମିଆ ରୋଗୀଙ୍କୁ ରକ୍ତପୋଷ୍ୟ ଭାବେ ଗ୍ରହଣ କରିବାକୁ ଚାହାଁନ୍ତି ତେବେ ୯୫୮୩୪୬୩୫୯୫ ନମ୍ବରରେ ସୂଚନା ଦେଇ ନିଜକୁ ସାମିଲ କରିପାରିବେ। ଏହି କାର୍ୟ୍ୟକ୍ରମରେ ସ୍ୱତଃପ୍ରବୃତ ଭାବରେ ଅଧିକରୁ ଅଧିକ ସ୍ୱେଚ୍ଛାକୃତ ରକ୍ତଦାତା ଯୋଡ଼ିହେବା ପାଇଁ ଶ୍ରୀ ସଦାଶିବ ଜେନା ନିବେଦନ କରିଛନ୍ତି।