ଗୋପ/ଜୟନ୍ତ କୁମାର ସେଠୀ: ଜନ୍ମବେଦିରେ ନବଦିନାମକ ଲୀଳା ସାରି ଖରା ବର୍ଷାର ଲୁଚକାଳି ଖେଳ ଭିତରେ ବାହୁଡ଼ିଛନ୍ତି ଲୀଳାମୟ ମହାପ୍ରଭୁ କାଳିଆ ସାଆନ୍ତ। ପବିତ୍ର ସୁନାବେଶରେ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଚତୁର୍ଦ୍ଧାମୂରତି ରଥ ଉପରୁ ଦର୍ଶନ ଦେଇଛନ୍ତି। ପ୍ରତିବର୍ଷ ହରିଶୟନ ଏକାଦଶୀରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଏଥର କିନ୍ତୁ ଗରୁଡ଼ ଶୟନ ଦ୍ୱାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେଇଛନ୍ତି। ରଥ ଉପରେ ଅନ୍ୟାନ୍ୟ ନିତି ବଢି ମଧ୍ୟାନ୍ନ ଧୂପ, ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବା ପରେ ଅପରାହ୍ନ ୪ ଟା ୪୦ରୁ ସୁନାବେଶ ଆରମ୍ଭ ହୋଇ ଥିଲା। ସନ୍ଧ୍ୟାଧୂପ ସରିବା ପରେ ସୁନାବେଶ ଓଲାଗି ହୋଇ ଥିଲା। ପରେ ବଡସିଂହାର ବେଶ ପରେ ରାତ୍ର ପହୁଡ ହୋଇ ଥିଲା।
ତେବେ ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ରଥ ଉପରେ ସୁନାବେଶ ଅର୍ଥାତ ବଡତଢାଉ ବେଶ ହେଉଛି ଅନ୍ୟତମ। ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ମହାପ୍ରଭୁ ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି,ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା, ଝୋବାକଣ୍ଠି ଆଦି ପରିଧାନ କରିଥାନ୍ତି। ସେହିପରି ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡିଆଣି, କାନ, ଚନ୍ଦ୍ରସୂର୍ୟ୍ୟ, ଦୁଇଟି ତଗଡି, ସେବତୀମାଳି, ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିଥାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, କମରପଟି, କର୍ଣ୍ଣକୁଣ୍ଡଳ, ଚନ୍ଦ୍ରସୂର୍ୟ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବାକଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେଇଥିଲେ। ସେପଟେ କୋଭିଡ୍ କଟକଣା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିନା ଭକ୍ତରେ ପାଳନ ହୋଇଛି ସୁନାବେଶ। ସେପଟେ ସୁନାବେଶ ପାଇଁ ମାର୍କେଟ ଛକରୁ କାକୁଡିଖାଇ ଛକ ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱ ଅଞ୍ଚଳରେ କର୍ଫ୍ୟୁ ଜାରୀ ରହିଛି। ଆସନ୍ତା ୨୪ ତାରିଖ ଅର୍ଥାତ ନୀଳାଦ୍ରୀ ବିଜେ ପରଦିନ ପର୍ୟ୍ୟନ୍ତ ଶ୍ରୀମନ୍ଦିର ଚତୁପାଶ୍ୱର୍ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୁନାବେଶ ପାଇଁ କଡା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୨୦ ପ୍ଲାଟୁନ ଫୋର୍ସ ସହ ୨୫୦ ରୁ ଉର୍ଦ୍ଧ ଅଫିସର ମୃତୟନ ହୋଇ ଥିଲେ । ତେବେ ଆଜି ଗୁରୁବାର ୩ ରଥରେ ଅଧରପଣା ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତା ୨୩ ତାରିଖରେ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ।