ମାଲକାନଗିରି : ଯେଉଁ ସମୟରେ ବଢିଲା ପୁଅ ରୋଜଗାର କରି ମାଙ୍କ ହାତରେ ଖୁସିର ଆଞ୍ଜୁଳା ଦେବା କଥା ସେ ସମୟରେ ଆଜି ପୁଳା ପୁଳା ଦୁଃଖ । ଏ ଦୁଃଖ ସହିବା କଷ୍ଟ , କହିବା ବି କଷ୍ଟ । କଷ୍ଟ ପୁଣି ଏତେ ଯେ ଆଖିରୁ ଲୁହ ବି ପାଷାଣ ହୋଇଯାଏ । ଲୁହ ବି ଡରେ ଆଖିରୁ ଝରିବାକୁ । ରୋଗ ଶଯ୍ୟାରେ ପଡି କଲବଲ ହେଉଥିବା ଯବାନ୍ ପୁଅର ଯନ୍ତ୍ରଣା ଦେଖି ଏ ମା’ର ଠିକ ଏଇ ଅବସ୍ଥା । ମେଡିକାଲ ବେଡରେ ନିସ୍ତେଜ ହୋଇ ପଡିଥିବା ଏ ଯୁବକ ହେଉଛନ୍ତି ମାଲକାନଗିରି ଜିଲ୍ଲା ଶିମିଳବଞ୍ଚା ଏମ୍ ପି ଭି 70 ଗ୍ରାମର ଗଣେଶ ହାଲଦାର। ଗୋଟିଏ ବୋଲି ପୁଅକୁ ଭାରି ଗେହ୍ଲାରେ ବଢାଇଥିଲେ ମା ଗୀତା ହାଲଦାର। ଇଚ୍ଛା କରିଥିଲେ , ପୁଅକୁ ଏତେ କଷ୍ଟରେ ପାଳି ପାଠ ଦି ଅକ୍ଷର ପଢେଇଲେ, ପୁଅ ରୋଜଗାର କରି ତାଙ୍କ କାନ୍ଧକୁ ବଳ ଦେବ । ଘରକୁ ଦି ପଇସା ଦେବ , ମା’ ଓଠରେ ଠିକେ ହସ ଫୁଟିବ । ହେଲେ ଈଚ୍ଛାର କଢ ଫୁଲ ହୋଇ ଫୁଟିବା ପୂର୍ବରୁ କଢଟା ହିଁ ଝାଉଁଳି ଝରିପଡିଲା । ମା’ଙ୍କ ସବୁ ଆଶା ମଉଳିଗଲା । ଏବେ ମନରେ ଖାଲି କୋହ, ଆଉ ଭିଜା ଭିଜା ଆଖି । ଗୋଟିଏ ବୋଲି ବୋଲି ପୁଅକୁ ଯନ୍ତ୍ରଣାରେ ଦେଖି ମା ‘ ଆଖିର ଲୁହ ବି ଝରିବାକୁ ଡରୁଛି । ବାପା, ପିଲାଟି ଦିନରୁ ନାହିଁ ।
ସ୍ୱାମୀ ସିନା ହାତ ଛାଡ଼ିଦେଲେ, ପୁଅ କେବେ ପର କରିବନି। ବଡ଼ ହୋଇ ଦୁଃଖ ଦୂର କରିବ। ବାର୍ଦ୍ଧକ୍ୟ ସମୟରେ ସାହାରା ସାଜିବ। ଏମିତି ଅନେକ ଆଶା ନେଇ ପୁଅକୁ ବଡ଼ କରିଥିଲେ ମାଆ। ହେଲେ ଏବେ ସବୁ ଆଶା ମଉଳି ଯାଇଛି। ପୁଅ ଏବେ କିଡ଼ନୀ ରୋଗରେ ପୀଡ଼ିତ। ଜୀବନ ସହ ଜୁଝି ହେଉଛନ୍ତି 22 ବର୍ଷୀୟ ଗଣେଶ । ଭେଣ୍ଡିଆ ପୁଅର ଯନ୍ତ୍ରଣା ଦେଖି ମାଆ ସହିପାରୁନି କି କିଛି କରିପାରୁନି। କାରଣ ମମତାକୁ ବଞ୍ଚେଇବା ପାଇଁ ମା’ ଗୋଡ଼ରେ ଅର୍ଥାଭାବର ଶିକୁଳି ପଡ଼ିଛି।

ଘରର ଗୋଟିଏ ବୋଲି ପୁଅର ଯୌବନାଟା ମେଡିକାଲ ବେଡରେ ପଡି ଯନ୍ତ୍ରଣା ଭୋଗୁଛି । ଦିନେ ସୁନ୍ଦର ସୁଢୋଳ ଚେହେରା ଥିବା ପୁଅ ଆଜି କଳାକାଠ ପଡିଯାଇଛି । ସବୁବେଳେ ସ୍ଫୁର୍ତ୍ତି ରହୁଥିବା ପୁଅ ଗଣେଶ ଦେହରେ ଆଉ ଜୁ ନାହିଁ । ନା ଦେହରେ ବଳ ନା ପାଟିରେ ବଚନ । ଖାଲି ଶେଯରେ ପଡି ବଲ ବଲ ହୋଇ ଚାହୁଁଛି । ଗଣେଶ ଙ୍କ ଦୁଇଟି ଯାକ କିଡନୀ ଡ୍ୟାମେଜ୍ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପଡି ଜୀବନ , ମୃତ୍ୟୁ ମଝିରେ ଲଢେଇ କରୁଛନ୍ତି । ହେଲେ ନିଃଶ୍ୱାସର ଏ ଲଢେଇ ଭିତରେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି ଗଣେଶ । ଲଗାତାର ଚାଲିଛି ଡାଇଲେସିସ୍ ।
ଡାକ୍ତର କହିଛନ୍ତି କିଡନୀ ଟ୍ରାନ୍ସପ୍ଲାଣ୍ଟ ହେଲେ ବଞ୍ଚିବ ପୁଅ ଗଣେଶର ଜୀବନ । ନିଜ ଏକୋଇରବଳାକୁ ନିଜ କିଡନୀ ଦେଇ ଜୀବନ ଦେବାକୁ ମା’ ଗୀତା ହାଲଦାର ପ୍ରସ୍ତୁତ । ଦୁହିଁଙ୍କ କିଡନୀ ମ୍ୟାଚ୍ ନିଶ୍ଚିତ କରିବାକୁ ଦୁହିଁଙ୍କ ବ୍ଲଡ ପରୀକ୍ଷା ପାଇଁ ଯାଇଛି । ଭଗବାନ୍ ଚାହିଁଲେ ରାକେଶଙ୍କୁ ମା’ଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ହେବ । ହେଲେ ଏଥିପାଇଁ ଆବଶ୍ୟକ ୨୦ ଲକ୍ଷରୁ ଅଧିକ ଟଙ୍କା । ଏତେ ଟଙ୍କା କଥା ଶୁଣି ମାଙ୍କ ମୁଣ୍ଡ ଘୁରିଯାଉଛି । ଏବେ କେବଳ ସରକାର ଓ ଜନସାଧାରଣଙ୍କ ସାହାଯ୍ୟକୁ ଅପେକ୍ଷା । ଆପଣଙ୍କ କିଛି କିଛି ସାହାଯ୍ୟ ସହଯୋଗ ହୁଏତ ଗଣେଶଙ୍କୁ ନୂଆ ଜୀବନ ଦେବ । ଅସହାୟ ହୋଇପଡିଥିବା ମା’ଙ୍କ ମୁହଁରେ ଟିକେ ଆଶ୍ୱସ୍ତି ଆଣିଦେବ ।