ବାହା ହେବାକୁ ଡରିଲେଣି ଯୁବପିଢୀ । ଅସହ୍ୟ ହେଉଛି ପତ୍ନୀଙ୍କ ନିର୍ଯ୍ୟାତନା । ଆଉ ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି କିଛି ବିବାହିତ ଯୁବକ । ଗତ କିଛିଦିନ ତଳେ ସ୍ତ୍ରୀ ଓ ଶ୍ୱଶୁର ଘର ନିର୍ୟାତନା ସହି ନ ପାରି ବେଙ୍ଗାଲୁରୁରେ ୩୪ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା କରିବା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ସେହିପରି ଏକ ସମାନ ଘଟଣା ଦିଲ୍ଲୀରେ ଘଟିଛି । ଏଠାରେ କଲ୍ୟାଣ ବିହାର ଅଞ୍ଚଳ ମଡେଲ ଟାଉନ୍ ବାସଭବନରେ ଜଣେ ୪୦ ବର୍ଷୀୟ କାଫେ ମାଲିକ ଆମତ୍ହତ୍ୟା କରିଛନ୍ତି। ପୋଲିସ ଜଣାଶୁଣା ଉଡ୍ବକ୍ସ କାଫେର ସହପ୍ରତିଷ୍ଠାତା ପୁନିତ୍ ଖୁରାନାଙ୍କ ଝୁଲନ୍ତା ମୃତଦେହ ତାଙ୍କ ରୁମ୍ରୁ ଜବତକରି ତଦନ୍ତ ଚଳାଇଛି।ମିଳିଥିବା ସୂଚନା ମୁତାବିକ ପୁନୀତ ଖୁରାନା ୨୦୧୬ରେ ମାଣିକ ଜଗଦୀଶ ପହୱାଙ୍କୁ ବିବାହ କରିଥିଲେ । ସେ ଦିଲ୍ଲୀର ଜଣାଶୁଣା କାଫେ ‘ଉଡ୍ବକ୍ସ’ର ଯୁଗ୍ମ ପ୍ରତିଷ୍ଠାତା ଥିଲେ। ପତ୍ନୀଙ୍କ ସହିତ ମିଶି ସେ ଏହି କାଫେ ତିଆରି କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ସମ୍ବନ୍ଧ ଆଉ ଭଲ ନଥିଲା। କୋର୍ଟରେ ସେମାନଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଥିବା ବେଳେ ଆତ୍ମହତ୍ୟା କରିଛନ୍ତି ପୁନୀତ ଖୁରାନା। ବ୍ୟବସାୟକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ବୋଲି ଜଣାପଡ଼ିଛି।
ପୁନୀତ ଖୁରାନାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ପତ୍ନୀଙ୍କ ଉପରେ ଖୁବ୍ ଅସନ୍ତୁଷ୍ଟ ଥିଲେ। ମୃତ୍ୟୁ ପୂର୍ବରୁ ୩୦ ତାରିଖ ବିଳମ୍ବିତ ରାତିରେ ପତ୍ନୀଙ୍କୁ ଫୋନ୍ କରିଥିଲେ ପୁନୀତ ଖୁରାନା। ସେହି ସମୟରେ ସେମାନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ସାମ୍ନାକୁ ଆସିଛି। ସେପଟେ ପୁନିତଙ୍କୁ ତାଙ୍କ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକେ ମାନସିକ ନିର୍ୟାତନା ଦେଉଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ପୁନିତ୍ ମୃତ୍ୟୁ ପୂର୍ବରୁ ନିଜ ମୋବାଇଲ ଫୋନ୍ରେ ଭିଡିଓ ଶୁଟିଂକରି ମାଣିକ ଓ ତାଙ୍କ ମା’ବାପା କିପରି ତାଙ୍କ ଉପରେ ମାନସିକ ଚାପ ପକାଉଥିଲେ ତାହା କହିଛନ୍ତି। ପୁନିତ୍ ଓ ମାଣିକଙ୍କ ବ୍ୟବସାୟିକ ବିବାଦ ଉପରେ ଭଉଣୀ କହିଛନ୍ତି, ପୂର୍ବରୁ ଉଭୟେ ସହଭାଗିତାରେ ବେକେରି ବିଜ୍ନେସ କରୁଥିଲେ। କିନ୍ତୁ ଛାଡ଼ପତ୍ର ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପରେ ନିଷ୍ପତ୍ତି ନିଆଗଲା ଯେ, ପୁନିତ୍ ଫର୍ ଗଡ୍ସ ବେକେରି ଚଳାଇବେ ଏବଂ ମାଣିକ ଉଡ୍ବକ୍ସ କାଫେ ପରିଚାଳନା କରିବେ। ଏନେଇ ଚୁକ୍ତିନାମାରେ ସ୍ବାକ୍ଷର କରାଯାଇଥିଲା। ଏହା ପରେ ମଧ୍ୟ ମନିକା ନିଜ ଶେୟାର ଛାଡ଼ିବେ ନାହିଁ ବୋଲି ଜିଦ୍ କରୁଥିଲେ।
କେବଳ ସେତିକି ନୁହେଁ ଇନ୍ଷ୍ଟାଗ୍ରାମ ମାଣିକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରିଛନ୍ତି ବୋଲି ପୁନୀତ ଅଭିଯୋଗ କରିଛନ୍ତି। ଏହା ପରେ ସେମାନଙ୍କ ମଧ୍ୟରେ ଏକ ପାସ୍ୱାର୍ଡକୁ ନେଇ କଥା କଟାକଟି ହୋଇଛି। ପୁଲିସ୍ ପୁନୀତ ଖୁରାନାଙ୍କ ଫୋନ୍ଙ୍କୁ ଜବତ କରିଛି ଏବଂ ଉକ୍ତ ରେକର୍ଡ ବାର୍ତ୍ତାଳପ ଆଧାରରେ ତାଙ୍କ ପତ୍ନୀ ମାଣିକ ଜଗଦୀଶ ପହୱାଙ୍କୁ ପଚରାଉଚରା କରିବାକୁ ଥାନାକୁ ଡାକିଛି। ପୁନୀତଙ୍କ ଭଉଣୀ ଲୀନା କହିଛନ୍ତି, ମୋ ଭାଇଙ୍କୁ ମାଣିକ ବହୁତ ନିର୍ୟାତନା ଦେଇଛନ୍ତି। ପୁନିତ୍ଙ୍କ ମା’ କହିଛନ୍ତି, ବିଚ୍ଛେଦ ପରେ ଉଭୟେ ଭଲରେ ରହିବେ। କିନ୍ତୁ ପୁଅଙ୍କୁ ସେମାନେ ନିର୍ୟାତନା ଦେଇଚାଲିଥିଲେ। ଶେଷରେ ପୁଅ ଏଭଳି ଚରମ ନିଷ୍ପତ୍ତି ନେଇଛି। ମୁଁ ମୋ ପୁଅକୁ ହରାଇଛି। ତାକୁ ନ୍ୟାୟ ମିଳିଲେ ଆମତ୍ାକୁ ଶାନ୍ତି ମିଳିବ।