୪ରୁ ରାଜ୍ୟରେ ବଢିପାରେ ବର୍ଷା

ରାଜ୍ୟରେ ରଜ ପରେ ମୌସୁମୀ ଛୁଇଁବା ଆକଳନ କରିଥିଲା ।

(ଭୁବନେଶ୍ୱର) : ରାଜ୍ୟରେ ରଜ ପରେ ମୌସୁମୀ ଛୁଇଁବା ଆକଳନ କରିଥିଲା । ଏବେସୁଦ୍ଧା ନିଅଣ୍ଟିଆ ବର୍ଷା ହେଉଛି । ମଙ୍ଗଳବାର ରାଜ୍ୟର ୧୩ ଜିଲ୍ଲାରେ ଟୋପାଏ ବର୍ଷା ହୋଇନି । ୧୩ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଆସନ୍ତା ୪ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିପାରେ । ଘୂର୍ଣ୍ଣିବଳୟ ପ୍ରଭାବରେ ଅଧିକ ବର୍ଷା ହୋଇପାରେ ବୋଲି ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି ।

କେବଳ ଯାଜପୁର, ରାୟଗଡ଼ା ଓ ଗଜପତିରେ ଭଲ ବର୍ଷା ହୋଇଛି । ଆସନ୍ତା ୩ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୩୦, ୧ ଓ ୨ ତାରିଖରେ ମଧ୍ୟ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ମଙ୍ଗଳବାର ମାଲକାନଗିରି, ନୂଆପଡ଼ା, ପୁରୀ, ବରଗଡ଼, ବୌଦ୍ଧ, ସୋନପୁର, ଅନୁଗୁଳ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ବରଗଡ଼ ଜିଲ୍ଲାରେ ଆଦୌ ବର୍ଷା ହୋଇନି । କୋରାପୁଟ, ନବରଙ୍ଗପୁର, ଗଞ୍ଜାନ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, କଟକ, ବଲାଙ୍ଗୀର, ସମ୍ବଲପୁର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି ।

ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି ୧୧୮ ମିଲିମିଟର ବର୍ଷା ହୋଇଛି । ଏହା ସ୍ୱାଭାବିକ ତୁଳନାରେ ୩୭% କମ୍ । ବୌଦ୍ଧରେ ବର୍ଷା ପରିମାଣ ଅଧିକ ଥିବାବେଳେ ନୂଆପଡ଼ା, ଅନୁଗୁଳ, ଢେଙ୍କାନାଳରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି । ବାକି ସବୁଠି ବର୍ଷା କମ୍ । ଚିନ୍ତାର ବିଷୟ ହେଲା, ପୁରୀରେ ସର୍ବାଧିକ ୮୪%, କେନ୍ଦ୍ରାପଡ଼ାରେ ୭୦% ଓ ସୁନ୍ଦରଗଡ଼ରେ ୬୪% ବର୍ଷା ନିଅଣ୍ଟିଆ ରହିଛି । ଏ ତିନି ଜିଲ୍ଲା ସ୍ଥିତି ସାଂଘାତିକ । ଏହାବାଦ୍ ଖୋର୍ଦ୍ଧାରେ ୫୭%, ଜଗତସିଂହପୁରରେ ୫୬%, ଭଦ୍ରକରେ ୫୪%, ଗଜପତିରେ ୫୪%, ବଲାଙ୍ଗିରରେ ୫୨%, କୋରାପୁଟରେ ୫୦%, ନବରଙ୍ଗପୁରରେ ୪୮%, ଦେବଗଡ଼ରେ ୪୬%, ଝାରସୁଗୁଡ଼ାରେ ୪୨%, ସମ୍ବଲପୁରରେ ୪୧% ବର୍ଷା ଅଭାବ ରହିଛି ଚଳିତ ମାସରେ । ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ୨୪%ରୁ ୩୮% ପର୍ଯ୍ୟନ୍ତ ବର୍ଷା କମ୍ ହୋଇଛି ।