ଅଷ୍ଟଚଣ୍ଡୀଙ୍କ ମନ୍ଦିରରେ ଷୋହଳ ପୂଜା ନୀତି

ସୋନପୁର(ଓମପ୍ରକଶ ମିଶ୍ର): ଶାକ୍ତ ପରମ୍ପରାର ଏକ ପ୍ରସିଦ୍ଧ କ୍ଷେତ୍ର ହେଉଛି ସୁବର୍ଣ୍ଣପୁର ଜିଲ୍ଲା । ସୁରେଶ୍ଵରୀ, ସମଲେଶ୍ବରୀ, ଖମ୍ବେଶ୍ଵରୀ, ଭଗବତୀ, ବିମଳା, ରାମଚଣ୍ଡୀ, ଦଶମତୀ ଏବଂ ନାରାୟଣୀ ରୂପରେ ଅଷ୍ଟ ଚଣ୍ଡୀଙ୍କ ମନ୍ଦିର ଏଠାରେ ଉପସ୍ଥିତ ଅଛନ୍ତି । ତେବେ ମୂଳାଷ୍ଟମୀ ଅବସରରେ ସୁବର୍ଣ୍ଣପୁରର ଅଷ୍ଟଚଣ୍ଡୀଙ୍କ ମନ୍ଦିରରେ ଆରମ୍ଭ ହୋଇଯାଇଛି ଷୋହଳ ପୂଜା ନୀତି। ଦଶହରା ପର୍ୟ୍ୟନ୍ତ ଏହି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ସେହିପରି ମୂଳାଷ୍ଟମୀ ରାତିରେ ଖଣ୍ଡାଧୁଆ ନିତି ସମ୍ଫନ୍ନ ହୋଇଛି । ମା ସମଲେଶ୍ୱରୀଙ୍କ ମନ୍ଦିରରୁ ଢୋଲ ମହୁରୀ ବାଜାସହ ରାତିରେ ସେବାୟତମାନେ ପାଟଖଣ୍ଡାକୁ ଶୋଭା ଯାତ୍ରାରେ ନେଇଥିଲେ। ରାଜଘାଟ ନିକଟସ୍ଥ ଖଣ୍ଡାଧୁଆ ଘାଟରେ ପାଟଖଣ୍ଡା ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମାର୍ଜନା କରାଯାଇ ସ୍ଵତନ୍ତ୍ର ଅସ୍ତ୍ରପୂଜା ଅନୁଷ୍ଠିତ ହୋଇଥିଲା । ଏହାପରେ ପୁଣି ସମଲେଇ ମନ୍ଦିରକୁ ବିଜେ ହୋଇଥିଲେ ପାଟଖଣ୍ଡା । ଅମାବାସ୍ୟା ତିଥିରେ ଖଣ୍ଡା ଲେଉଟା ନୀତି ଅନୁଷ୍ଠିତ ହେବ। ସେହିପରି ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ମନ୍ଦିରରେ ମଧ୍ୟ ମୂଳାଷ୍ଟମୀ ନୀତିକାନ୍ତି ସମ୍ପନ୍ନ ହୋଇଛି ।