କଣିହାଁ / ଜ୍ୟୋତିରଂଜନ ଧର : ନବଜାଗରଣର ଉଦଗାତା ମହାନ ସମାଜ ସଂସ୍କାରକ ପଣ୍ଡିତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଦୁଇ ଶହ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଗୁରୁବାର ଦିନ କଣିହାଁ ବ୍ଲକ ଅନ୍ତର୍ଗତ ସରକାରୀ ଉ.ପ୍ରା. ବିଦ୍ୟାଳୟ, ଦଣ୍ଡସିଂହା ଠାରେ ଏକ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଯାଇଛି । ଅତିଥି, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦ୍ୟାସାଗରଙ୍କ ଫଟୋକୃତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ନିରୂପମା ସାହୁ ପ୍ରାରମ୍ଭିକ ସୂଚନା ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତାଭାବେ ଅଲ ଇଣ୍ଡିଆ ଡି.ଏସ.ଓ ର ଜିଲ୍ଲା ସଭାପତି ପରମାନନ୍ଦ ସାହୁ ଯୋଗ ଦେଇ ବିଦ୍ୟାସାଗରଙ୍କ ଜୀବନୀ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ । ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ସମାଜରୁ ଅପସଂସ୍କୃତି, କୁସଂସ୍କାର, ଅନ୍ଧବିଶ୍ୱାସ, ଧର୍ମିୟ ଅନ୍ଧତା ତଥା ବାଲ୍ୟ ବିବାହ ପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରି ବହୁ ବାଧାବିଘ୍ନ ସହି ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ କରିବାକୁ ଚେଷ୍ଟା କରିଥିଲେ ଓ ବିଧବା ବିବାହ ପ୍ରଚଳନ କରିଥିଲେ । ସେହି ସମୟରେ ବିଦ୍ୟାସାଗର ବୁଝିପାରିଥିଲେ ଯେ ଭଗବତ ଚିନ୍ତା, ସନାତନ ଚିନ୍ତା ମଣିଷକୁ ଶୋଷଣ ନିର୍ଯ୍ୟାତନା ମଧ୍ୟକୁ ଠେଲି ଦେଉଛି । ଧର୍ମ ନାଆଁରେ ଛୋଟ ଛୋଟ ଝିଅମାନଙ୍କୁ ବ୍ରାହ୍ମଣ ବୃଦ୍ଧମାନଙ୍କ ସହିତ ବିବାହକରି ଦିଆଯାଉଥିଲା ଓ ଅଳ୍ପ କେତେ ବର୍ଷପରେ ସେହି ଝିଅମାନେ ବିଧବା ହୋଇ ସମସ୍ତ ରୀତିନୀତି ଅନୁଯାୟୀ କଠୋର ଧର୍ମୀୟ ଅନୁଶାସନ ପାଳନ କରିବାକୁ ବାଧ୍ୟ ହେଉଥିଲେ । ତେଣୁ ସେ ଭଗବତ ଚିନ୍ତାକୁ ବିଶ୍ୱାସ ନ କରି ମାନବତାବାଦକୁ ଆପଣେଇ ସମାଜକୁ ରକ୍ଷା କରିବା ପାଇଁ ବିଭି୍ନ୍ନ ସଂସ୍କାର ଆଣିବାକୁ ଚେଷ୍ଟା କରିଥିଲେ । ନାରୀ ଶିକ୍ଷାର ପ୍ରଚଳନ ସହିତ ଇଂରାଜୀ ଶିକ୍ଷା ପ୍ରଚଳନ ପାଇଁ ସେ ବହୁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ବିଦ୍ୟାସାଗର ଜଣେ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଧର୍ମୀୟ ଅନ୍ଧତା ଠାରୁ ଦୂରରେ ରହି ଜାତି ଧର୍ମ ନିର୍ବିଶେଷରେ ସମସ୍ତ ଲୋକଙ୍କୁ ଗଭୀର ଭଲପାଉଥିଲେ ଓ ଅଭାବ ଅନାଟନରେ ପଡୁଥିବା ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କୁ ସହାଯ୍ୟ କରୁଥିଲେ ବୋଲି ମୁଖ୍ୟବକ୍ତା ପ୍ରକାଶ କରିଥିଲେ । ହେଲେ ଆଜିର ଆଧୁନିକ ଯୁଗରେ ଜାତି, ଧର୍ମକୁ ନେଇ ବିଦ୍ୱେଶ ସୃଷ୍ଟି କରାଯାଉଥିବା ବେଳେ ଅନ୍ଧବିଶ୍ୱାସ, କୁସଂସ୍କାର ସମାଜରେ ବଢି ବଢି ଚାଲିଛି । ତାଙ୍କର ସ୍ୱପ୍ନ ଆଜି ବି ପୂରଣ ହୋଇପାରିନାହିଁ । ଆଜିର ସାସ୍କୃତିକ ଅବକ୍ଷୟ ଯୁଗରେ ଉନ୍ନତ ରୁଚି ସଂସ୍କୃତି ଆଧାରରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ପାଇଁ ବିଦ୍ୟାସାଗରଙ୍କ ଶିକ୍ଷାରେ ବ୍ରତୀ ହୋଇ ନିଜକୁ ଗଢିତୋଳି ବଡ ମଣିଷ ହେବାକୁ ହେଲେ ବିଦ୍ୟାସାଗରଙ୍କ ଭଳି ମହାମନିଷୀମାନଙ୍କ ଜୀବନୀ ଚର୍ଚ୍ଚାକରିବାକୁ ମୁଖ୍ୟବକ୍ତା ଶ୍ରୀ ସାହୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ସହକାରୀ ଶିକ୍ଷକ ମୁନା ନାଏକ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ । ଶିକ୍ଷୟିତ୍ରୀ ପିଙ୍କିଲତା ଦେହୁରୀ, ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ ଉପସ୍ଥିତ ଥିବା ବେଳେ ରତିକାନ୍ତ ସାହୁ, ଅଲେଖ ନାଏକ, ସତ୍ୟବ୍ରତ ପ୍ରଧାନ, ସ୍ମୃତି ପ୍ରଧାନ, ମନୀଷା ପ୍ରଧାନ, ମୋନାଲିସା ଭୂତିଆ, ଅରୟନ ମହାନ୍ତି, ଅମନ ନାଏକ ପ୍ରମୁଖ ଛାତ୍ରଛାତ୍ରୀ ଏହି ଜୟନ୍ତୀ ସଭା ଅୟୋଜନରେ ସହଯୋଗ କରିଥିଲେ ।