(ଶିଳାସ୍ମିତା ରାୟ) ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ସବୁ ଦଳ ପକ୍ଷରୁ ନିର୍ବାଚନୀ ମଇଦାନକୁ ଅନେକ ନୂଆ ମୁହଁକୁ ପଠାଯାଇଛି । କୁହାଯାଉଛି, ପ୍ରାର୍ଥୀଙ୍କ ୱିନେବିଲିଟିକୁ ପ୍ରାଧାନ୍ୟ ଦିଆଯାଉଛି । କିନ୍ତୁ ଦେଖିବାକୁ ମିଳୁଛି, ଦଳଗୁଡିକର ଏପରି ନିଷ୍ପତ୍ତିରେ ନିର୍ବାଚନ ମଣ୍ଡଳୀର ଭୋଟର ହତବାକ୍ ହୋଇପଡିଛନ୍ତି । ଯେଉଁ ପ୍ରାର୍ଥୀଙ୍କୁ ସେମାନେ ଜାଣନ୍ତି ନାହିଁ ବା ଯେଉଁ ପାର୍ଥୀ ସେମାନଙ୍କୁ, ସେମାନଙ୍କ ଅଞ୍ଚଳକୁ ଓ ସମସ୍ୟାକୁ ଜାଣେନାହିଁ ସେମାନଙ୍କୁ କିପରି ଗ୍ରହଣ କରିବେ ।
ଆମ ଦ୍ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ଦଳଗୁଡିକର ଏପରି ନିଷ୍ପତ୍ତିକୁ ନେଇ ବିଭିନ୍ନ ନିର୍ବାଚନୀ ମଣ୍ଡଳୀର ଭୋଟରଙ୍କ ଉତ୍ତର ପ୍ରାୟତଃ ଗୋଟିଏ । ନୂଆ ମୁହଁକୁ ନେଇ ସେମାନେ ଦୋଛକିରେ। ଭୋଟରଙ୍କ ଅନୁଯାୟୀ, ବିଗତ ୫ ବର୍ଷ ଧରି ସେମାନେ ସେହି ଅଞ୍ଚଳର ଆଶାୟୀଙ୍କୁ ସହଯୋଗ ଓ ସମର୍ଥନ କରିଆସୁଥିଲେ । ସେହି ଆଶାୟୀମାନେ ସେମାନଙ୍କ ଅଞ୍ଚଳର ହେବା ସହ ସେମାନଙ୍କ ସୁଖ ଦୁଃଖ, ସମସ୍ୟା ସମ୍ପର୍କରେ ଅବଗତ । ଆଶାୟୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସେମାନେ ଆଶାୟୀଙ୍କୁ ବାଛିନେଇଥିଲେ । କିନ୍ତୁ, ହଠାତ୍ ନୂଆ ମୁହଁକୁ ସେଠାରେ ଛିଡା କରାଇବା ଦ୍ୱାରା ସେମାନେ କଣ କରିବେ ତାହାକୁ ନେଇ ଦ୍ୱନ୍ଦ୍ୱରେ । ଏସମ୍ପର୍କରେ ପୁରୀ ବାସୀଙ୍କ ମତ ମଧ୍ୟ ସମାନ ରହିଛି । ପୁରୀର ବିଜେପି କର୍ମୀଙ୍କ ଅନୁଯାୟୀ, ହଠାତ୍ ବିଜେପି ଏଠାରେ ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ଟିକେଟ ଦେଇଦେଲେ । ଏବେ ଆମ ପାଇଁ ଏହା କଷ୍ଟକର ହୋଇପଡିଛି କି କିପରି ପୁଣି ଭୋଟରଙ୍କୁ ସମ୍ବିତଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଇବୁ ।
ସମ୍ବିତଙ୍କୁ ନେଇ ଜଣେ ଅଧ୍ୟାପକଙ୍କ ମତ, ମାନୁଛୁ ସେ ଜଣେ ଜାତୀୟ ସ୍ତରର ନେତା । ତାଙ୍କୁ ଆମେ ବିଭିନ୍ନ ସାକ୍ଷାତକାର ଓ ବିତର୍କରେ ଦେଖି ଆସିଛୁ, ତା ମାନେ ନୁହେଁ ପୁରୀବାସୀ ତାଙ୍କୁ ସହଜରେ ଗ୍ରହଣ କରିବେ । ପୁରୀଲୋକେ ସେମାନଙ୍କ ଅଞ୍ଚଳବାସୀଙ୍କୁ ପ୍ରାଧାନ୍ୟ ଦେଇଥାନ୍ତି । ଏପରି ସ୍ଥିତିରେ ଜଣେ ଅଣପୁରୀବାସୀଙ୍କୁ ଗ୍ରହଣ କରିବା ଅସମ୍ଭବ ଜଣା ପଡୁଚି ।
ଏସମ୍ପର୍କରେ ପୁରୀର ଜଣେ ସାଧାରଣ ନାଗରିକଙ୍କ ମତ, ଦିନେ ନାହିଁ କି କାଳେ ନାହିଁ, ଗହ୍ମାପୂନେଇରେ ମାଇଁ ମାଇଁ ପରି ଆମେ ତାଙ୍କୁ ଜାଣିନୁ କି ଚିହିଁନାହୁଁ । ହଠାତ୍ କୋଉଠୁ ଆସି ମହାପ୍ରଭୁଙ୍କୁ ଧରି, ଚିତା ଚଇତନ ପକାଇ ଆମକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରାଯାଉଛି । ଆମେ କଣ ଏମିତି ଓଲା । କୋଉଠି ଥିଲେ ସେ ସମ୍ବିତ ଆଗରୁ ବୋଲି ପ୍ରଶ୍ନକରିଛନ୍ତି ।
ଏସମ୍ପର୍କରେ ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ପୁରୀରେ ସମ୍ବିତଙ୍କ ଜିତିବା ସହଜ ନୁହେଁ । ବିଜେପି ପକ୍ଷରୁ ଜଣେ ସ୍ଥାନୀୟ ଓ ଟାଣୁଆ ନେତାଙ୍କୁ ଠିଆ କରିବାର ଥିଲା । ପୁରୀ ବିଜେଡିର ଗୋଟିଏ ପୁରୁଣା ଗଡ । ସେଠାରେ ଲୋକେ ୨ ଦଶନ୍ଧି ଧରି ବିଜେଡିକୁ ଜିତାଇ ଆସୁଛନ୍ତି । ଏହା ବ୍ୟତୀତ ବିଜେଡି ଗୋଟିଏ ଆଞ୍ଚଳିକ ଦଳ ହୋଇଥିବାରୁ ବିଜେଡି ଦ୍ୱାରା ନୂଆ ପ୍ରାର୍ଥୀଙ୍କୁ ଠିଆ କରାଇବାରେ କିଛି ସମସ୍ୟା ନାହିଁ । ଲୋକେ ନବୀନ ପଟ୍ଟନାୟକଙ୍କୁ ଦୃଷ୍ଟିରେ ରଖି ତାଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେବେ । କିନ୍ତୁ ବିଜେପିର ନିଷ୍ପତ୍ତିରେ ଲାଗୁଛି, ବିଜେପି ପୁରୀରେ ନିଶ୍ଚିତ ହାରକୁ ଗ୍ରହଣ କରିବା ସହ ସମ୍ବିତଙ୍କୁ ବଳୀର ଛେଳି କରିଛି । ତେବେ ଦେଖିବାକୁ ରହିଲା, ସମ୍ବିତ ପୁରୀବାସୀଙ୍କୁ ପ୍ରଭାବିତ କରି ପାରୁଛନ୍ତି କି ନାହିଁ?