ବ୍ୟୁରୋ : ବଦଳିବ ନର୍ସିଂ କ୍ୟାଡରର ଡ୍ରେସ୍ କୋଡ୍। ଏବେ ସମ୍ପୂର୍ଣ୍ଣ ଧଳା ବଦଳରେ ଧଳା ଡ୍ରେସ୍ ବା ଓଭରକୋଟରେ ସମ୍ବଲପୁରୀ ଛିଟ ଦେଖିବାକୁ ମିଳିବ । ଡିଏନଏସ୍, ଏନଏସ୍ ଅଧିକାରୀଙ୍କ ୟୁନିଫର୍ମ କୋଲାରରେ ସମ୍ବଲପୁରୀ ଡିଜାଇନ୍ ରହିବ । ଏଣିକି ସେବା କ୍ଷେତ୍ରରେ ବି ଓଡିଆ ଅସ୍ମିତାର ଝଲକ ଦେଖିବାକୁ ମିଳିବ। ଏନେଇ ପୂର୍ବରୁ ନର୍ସିଂ ସଂଘ ଦାବି କରିଆସୁଥିବାବେଳେ ଏବେ ଏହି ଦାବି ପୂରଣ ହୋଇଛି । ସେନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସହମତି ପ୍ରଦାନ କରିଛି ।
ନୂଆ ବର୍ଷ ଜାନୁଆରୀ ଏକ ରୁ ନୂଆ ୟୁନିଫର୍ମ ପିନ୍ଧିବେ ନର୍ସିଙ୍ଗ ଅଧିକାରୀ। ତାରିଖ ଚୂଡାନ୍ତ ନ ହୋଇଥିଲେ ବି ଜାନୁଆରୀ ଏକ ପାଇଁ ପ୍ରସ୍ତାବ ଦିଆଯାଇଛି । କାରଣ କପଡା ଆଣିବେ, ଟେଲର ଚୂଡାନ୍ତ ହେବ, ଯାହା ସମୟ ଲାଗିବ। ନର୍ସିଙ୍ଗ କର୍ମଚାରୀ ଆନ୍ଦୋଳନ କରି ଡ୍ରେସ ବଦଳିବା ପାଇଁ ଦାବି କରିଥିଲେ। ଏହାକୁ ବଦଳିବା ପାଇଁ ସ୍ୱାସ୍ଥ୍ୟ ସଚିବ ଗତ ନଭେମ୍ବର 8ରେ ଅନୁମୋଦନ ଦେଇଛନ୍ତି । ସବୁ ଜିଲ୍ଲାକୁ ଚିଠି ହୋଇଯାଇଛି। ନର୍ସିଙ୍ଗ କର୍ମଚାରୀଙ୍କ ଅନ୍ୟ ଦାବି ଭିତରେ ଗ୍ରେଡେସନ ଲିଷ୍ଟ ଓ ଖାଲି ପଦବୀ ପୁରଣ ଥିଲା । ଗ୍ରେଡେସନ ଲିଷ୍ଟ ପାଇଁ କାମ ଚାଲିଛି। 80% CDMO ମାନେ ଏହା ପଠାଉଛନ୍ତି। ଏଠି ଯାଞ୍ଚ ଚାଲିଛି। ଭୁଲ ବାହାରିଲେ ଫୋନ ଜରିଆରେ ଆଉ ଥରେ ପଠାଇବା ପାଇଁ କୁହାଯାଉଛି । ଯେଉଁମାନେ କେସ କରିଛନ୍ତି, ଉତ୍ତର ରଖିବାକୁ ସମ୍ପୃକ୍ତ CDMO ମାନଙ୍କୁ କୁହାଯାଇଛି। ଖୁବ ଶୀଘ୍ର ଗ୍ରେଡେସନ ଲିଷ୍ଟ ବାହାରିବ। ରାଜ୍ୟରେ 15, 242 ନର୍ସିଙ୍ଗ କର୍ମଚାରୀ ଅଛନ୍ତି। ଏହା ସୂଚନା ଦେଇଛନ୍ତି ନର୍ସିଂ ନିର୍ଦ୍ଦେଶିକା ଗୁନୁ ରାଣୀ ପଟ୍ଟନାୟକ ।