(ମମତା ସାମଲ)ରିପୋର୍ଟସଟୁଡେ: ହାମିଲଟନରେ ହାଇଭୋଲଟେଜ୍ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଐତିହାସିକ ସିରିଜ୍ ବିଜୟ ହାସଲ କରିଛି। ଆଜି ସେଡନ୍ ପାର୍କରେ ଖେଳାଯାଇଥିବା ରୋମଞ୍ଚକର ମୁକାବିଲାରେ ରୋହିତ୍ ଶର୍ମା ସୁପର୍ ଓଭରରେ ଲଗାତାର ଦୁଇଟି ଛକା ମାରି ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେବା ସହ ଭାରତକୁ ଜବରଦସ୍ତ ବିଜୟ ଭେଟି ଦେଇଛନ୍ତି। ମ୍ୟାଚ୍ ନିର୍ଦ୍ଧାରିତ ଓଭରରେ ଟାଇ ରହିବାରୁ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୭ ରନ୍ କରିଥିଲା।
ଜବାବରେ ଭାରତକୁ ଶେଷ ଦୁଇ ବଲରେ ୧୦ ରନ୍ ଆବଶ୍ୟକ ହେଉଥିବା ବେଳେ ରୋହିତ୍ ବିପକ୍ଷ ଦଳର ଅଭିଜ୍ଞ ପେସ୍ ବୋଲର ଟିମ୍ ସାଉଦୀଙ୍କୁ ଲଗାତାର ଦୁଇଟି ଛକା ମାରିଥିଲେ। ଏହି ବିଜୟ ସହ ଭାରତ ନ୍ୟୁଜିଲ୍ୟାଣ୍ଡରେ ପ୍ରଥମଥର ଲାଗି ଟି-୨୦ ସିରିଜ୍ ଜିତି ଇତିହାସ ରଚିଛି। ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ୬ ୱିକେଟରେ ସମାନ କରିଥିଲା। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ କ୍ୟାପଟେନ୍ କେନ୍ ୱିଲିୟମସନ୍ ଚମତ୍କାର ବ୍ୟାଟିଂ କରି ୯୫ (୪୮ ବଲ୍, ୮ ଚୌକା, ୬ ଛକା) ରନର ଇନିଂସ୍ ଖେଳିଥିଲେ ହେଁ, ଟିମକୁ ଜିତାଇ ପାରିନଥିଲେ। ସୁପର୍ ଓଭରରେ ଭାରତକୁ ଜିତାଇଥିବା ରୋହିତ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
ଉକ୍ତ ମ୍ୟାଚରେ କିୱି ଟିମ୍ କ୍ୟାପଟେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ରୋହିତ୍ ଶର୍ମା ଓ ଇନଫର୍ମ ଲୋକେଶ ରାହୁଲ ଜବରଦସ୍ତ ଆରମ୍ଭ ଦେଇଥିଲେ। ପ୍ରଥମ ଦୁଇଟି ମ୍ୟାଚରେ ନିରାଶ କରିଥିବା ରୋହିତଙ୍କ ବ୍ୟାଟ୍ ଆଜି ଖୁବ୍ ଚାଲିଥିଲା। ସେ ହାମିଶ ବେନେଟ୍ଟଙ୍କ ଗୋଟିଏ ଓଭରରେ ୨୭ ରନ୍ ସଂଗ୍ରହ କରିଥିଲେ ଏବଂ ମାତ୍ର ୨୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ରାହୁଲ୍ ଓ ରୋହିତ୍ ପ୍ରଥମ ୱିକେଟ୍ ପାଇଁ ୯ ଓଭରରେ ୮୯ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ି ପ୍ୟାଭିଲିୟନ୍ ଫେରିବା ପରେ ଭାରତର ରନ୍ ଗତି ହ୍ରାସ ପାଇଥିଲା।