ବରୀ(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଚଳିତ ବନ୍ୟାରେ ୯ଟି ପଞ୍ଚାୟତର ୪୦ ହଜାର ୩୯୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ମାଟିଆପଡ଼ା ଗ୍ରାମରେ ମୋଟ ୬ ଟି ଘାଇ ସୃଷ୍ଟି ହୋଇଛି । ଘରେ ପାଣି ପଶିଯିବାରୁ ଲୋକମାନେ ଛାତ ଉପରେ ପାଲ ଟାଙ୍ଗୀ ରାତି କାଟିଛନ୍ତି । ମାଟି ଘର ଥିବା ଲୋକ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିବା ସହ ପର ଘରେ ଯାଇ ରହିଛନ୍ତି । ମାଟିଆପଡ଼ା ସାହାଡ଼ା ସୁନ୍ଦରୀ ମନ୍ଦିର ଏବଂ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବେ ବି ୪ ଫୁଟର ବନ୍ୟା ଜଳ ରହିଛି ।
ବନ୍ୟାରେ କେବଳ ଶୁଖିଲା ଖାଦ୍ୟ ମୁଠେ ଦେଇ ଚୁପ ବସିଛି ବ୍ଲକ ପ୍ରଶାସନ । ସେପଟେ ଚଳିତ ବର୍ଷ ମାଟିଆପଡ଼ାରେ ବନ୍ୟା ପାଇଁ ଜଳ ସମ୍ପଦ ବିଭାଗକୁ ଦାୟୀ କରିଛନ୍ତି ଅଞ୍ଚଳବାସି । ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଗତ ବର୍ଷ ବନ୍ୟାରେ ହୋଇଥିବା ଘାଇ ଗୁଡ଼ିକ ଠିକ ଭବେ ମରାମତି କରାନଯାଇ ବାଲିରେ ବନ୍ଧ ବାନ୍ଧି ଦେଇଥିବା ଅଭିଯୋଗ କରିଛନ୍ତି । ଗତ କାଲି ବରୀ ବିଧାୟିକା ସୁନନ୍ଦା ଦାସ, ଆଜି ବରୀ ବିଜେପି ନେତା ବିଶ୍ଵରଞ୍ଜନ ମଲ୍ଲିକ, ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନି ଶର୍ମା ବନ୍ୟାରେ ପ୍ରଭାବିତ ଲୋକ ମାନଙ୍କ ପାଖରେ ପହଞ୍ଚିଛନ୍ତି ।