ବ୍ୟୁରୋ : ଚଳିତ ମାସ ୧୮ ତାରିଖରୁ କାର୍ତ୍ତିକ ମାସ ଆରମ୍ଭ ହେବ । ସେଥିପାଇଁ ୬ ତାରିଖରୁ ହବିଷ୍ୟାଳି ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି । ଏହି ପଞ୍ଜୀକରଣ ୧୧ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ କରାଯିବ । edistrict.odisha.gov.in ପୋର୍ଟାଲ ମାଧ୍ୟମରେ ନିର୍ଦ୍ଧିଷ୍ଟ ଫର୍ମ ମାଧ୍ୟମରେ ଅନଲାଇନ ଯୋଗେ ପଞ୍ଜୀକରଣ କରିପାରିବେ । ସୁସ୍ଥ ଥିବା ଲୋକଙ୍କୁ ହବିଷ୍ୟାଳି ଶିବିରରେ ରଖାଯିବ। ନୂତନ ଭାବେ ପଞ୍ଜୀକରଣ କରୁଥିବା ହବିଷ୍ୟାଳିଙ୍କୁ ପ୍ରାଥମିକତା ଦିଆଯିବ । ପୁରୀ ପ୍ରଶାସନ ତରଫରୁ ୪ଟି ଶିବିରରେ ହବିଷ୍ୟାଳି ରହିବେ। ୧୭ ତାରିଖ ସୁଦ୍ଧା ନିର୍ଦ୍ଧାରିତ ହବିଷ୍ୟାଳି କେନ୍ଦ୍ରରେ ରହିବେ । ପ୍ରାୟ ଅଢେଇ ହଜାର ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।
ଦୁଇ ବର୍ଷ ଧରି ହବିଷ୍ୟାଳି ଯୋଜନା ସୁରୁଖୁରୁରେ ଚାଲିଆସିଛି। ଏହି ଯୋଜନାରେ ମା’ ମାନଙ୍କ ନିମନ୍ତେ ରହଣୀ, ପୂଜାର୍ଚ୍ଚନା, କାର୍ତ୍ତିକ ବ୍ରତ ପାଳନ, ତୀର୍ଥ ପୁଷ୍କରିଣୀରେ ସ୍ନାନ, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଧର୍ମର ମାସ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ସମେତ ଦର୍ଶନାର୍ଥୀଙ୍କର ଶ୍ରୀକ୍ଷେତ୍ରରେ ଖୁବ ଭିଡ ଜମିବା ସମ୍ଭାବନା ଥିବାରୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ।